ପ୍ରବଳ ତାତିରେ କଲବଲ ଲୋକେ, ସାଢେ ୧୧ଟାରେ ଭୁୁବନେଶ୍ୱର ସବୁଠୁ ଉତ୍ତପ୍ତ


ଭୁୁବନେଶ୍ୱର: ପ୍ରବଳ ତାତିରେ କଲବଲ ଲୋକେ । ଗ୍ରୀଷ୍ମ ପ୍ରକୋପ ଥମିବାର ନାଁ ନେଉନାହିଁ ବରଂ ପାରଦ ଉପରମୁହାଁ ହୋଇ ଚାଲିଛି । ସକାଳ ୮ଟାରେ ମଧ୍ୟ ଘରୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଆଉ ଆଜି ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ଭୁୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୪୧.୧ ଡିଗ୍ରୀ ସହ ଭୁୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଆଂଚଳିକ ପାଣିପାଗ ବିଭାଗ ଅନୁଯାୟୀ, ବାଲେଶ୍ୱର ଓ ଚାନ୍ଦବାଲିରେ ସାଢେ ୧୧ଟା ସୁଦ୍ଧା ପାରଦ ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୪୦.୪, ହୀରାକୁଦରେ ୪୦.୨, କେନ୍ଦୁଝରରେ ୩୯.୬ , ସମ୍ବଲପୁରରେ ୩୯ଡିଗ୍ରୀ ଓ ରାଉରକେଲାରେ ୩୮.୮ ତାପମାତ୍ରା ରହିଛି ।

ଇଏ ତ କିଛି ନୁହେଁ । ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ଅଧିକ ରହିବ ଏବଂ ପାରଦ ୪୫ ଡିଗ୍ରୀ ଛୁଇଁବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେବେ ଓଡିଶାବାସୀ ।