ପ୍ରଥମ ପ୍ରଚାର ପାଇଁ ସୋନପୁରକୁ କାହିଁକି ବାଛିଲେ ? ଜାଣନ୍ତୁ ଶାହଙ୍କ ଗସ୍ତ ଏବଂ ବିଜେପିର ରଣନୀତି


ଭୁୁବନେଶ୍ୱର: ଏଥର ନିର୍ବାଚନରେ ପଶ୍ଚିମ ଓଡିଶା ଉପରେ ସଭିଙ୍କ ଫୋକସ । ସେଥିପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତା ପଶ୍ଚିମ ଓଡିଶାର ଅନେକ ସିଟରେ ନିର୍ବାଚନ ଲଢୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ପିସିସି ସଭାପତି ଶରତ ପଟ୍ଟନାୟକ ଅବା ପ୍ରଣବ ପ୍ରକାଶ ଦାସ । ବିଶେଷ କରି ପଶ୍ଚିମ ଓଡିଶାରେ ବିଜେପିକୁ ମାତ୍ ଦେବା ପାଇଁ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି । ଏମିତି ହେଲେ ବିଜେଡିର ପ୍ରଭାବ ଏହାର ଆଖପାଖ ସିଟ୍ ଉପରେ ପଡିବ । ଏବେ ବିଜେଡିର ଏହି ରଣନୀତିକୁ ମାତ୍ ଦେବା ପାଇଁ ବିଜେପି ମଧ୍ୟ ପ୍ରସ୍ତୁତ । ବୋଧହୁଏ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜର ପ୍ରଥମ ରାଲି ସୋନପୁରକୁ ବାଛିଛନ୍ତି । ଏମିତି ହେଲେ ଉଭୟ ବଲାଙ୍ଗିର ଲୋକସଭା ଏବଂ ଏହାର ବିଧାନସଭା ସିଟ୍ ସହ ପଶ୍ଚିମ ଓଡିଶାର ଅନ୍ୟ ସିଟ୍ ଉପରେ ବିଜେପିର ପ୍ରଭାବ ପଡିବ ।

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଚାରର ବିଗୁଲ ଫୁଙ୍କିବେ ଶାହ । ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ଣ ୪ଟା ୩୫ରେ ଶାହ ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ତେବେ ଅମିତ ଶାହ ଓଡିଶାରେ ପ୍ରଥମ ନିର୍ବାଚନ ରାଲି ଭାବେ ସୋନପୁରକୁ କାହିଁକି ବାଛିଲେ ? ଏହାର ସବୁଠୁ ବଡ କାରଣ ବିଜେଡି ରଣନୀତିକୁ ମାତ୍ ଦେବା । ଗତ ନିର୍ବାଚନରେ ପଶ୍ଚିମ ଓଡିଶାର ସମସ୍ତ ୫ ଲୋକସଭା ସିଟ ଜିତିବାରେ ବିଜେପି ସଫଳ ହୋଇଥିଲା । ଆଉ ବିଜେଡିକୁ ନିରାଶ ହେବାକୁ ପଡିଥିଲା । ତେଣୁ ଏଥିପାଇଁ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସୋନପୁରରେ ବିଶାଳ ଜନସଭାର ଆୟୋଜନ କରିଛି ବିଜେପି । ଏହାକୁ ଉଦବୋଧନ ଦେଇ ଓଡିଶାରେ ବିଜେପିର ନିର୍ବାଚନୀ ବିଗୁଲ ଫୁଙ୍କିବେ ଅମିତ ଶାହ ।

ସୋନପୁରରୁ ପ୍ରଚାର ଆରମ୍ଭ କଲେ ଏହାର ବଡ ବାର୍ତ୍ତା ସଂପୂର୍ଣ୍ଣ ପଶ୍ଚିମ ଓଡିଶାକୁ ଯିବ ଯେ, ବିଜେପିର ଫୋକସ ସର୍ବଦା ଏହି ଅଞ୍ଚଳ ପ୍ରତି ରହିଛି ଏବଂ ରହିବ । ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରିବ । ସୋନପୁରକୁ ମନ୍ଦିର ମାଳିନୀ ସହର ମଧ୍ୟ କୁହାଯାଏ । ଏଠାକାର ଲୋକେ ବହୁତ ଧାର୍ମିକ । ଆଉ ବିଜେପି ଏହି କାର୍ଡ ହାତ ଛଡା କରିବାକୁ ମଧ୍ୟ ଚାହେଁ ନାହିଁ । ସୋନପୁରରୁ ନିର୍ବାଚନୀ ଶଙ୍ଖ ଫୁଙ୍କିଲେ ପଶ୍ଚିମ ଓଡିଶାରେ ଏହାର ବଡ ପ୍ରଭାବ ପଡିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ସେମିତିରେ ବଲାଙ୍ଗିର ଲୋକସଭା ଆସନରେ ଯାଉଛି ସୋନପୁର ଓ କଂଟାବାଞ୍ଜି । ତେଣୁ ସମସ୍ତ ୭ ଆସନରେ ପ୍ରଭାବ ପଡିବ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ମୁକାବିଲା ନେଇ ବଡ ବାର୍ତା ମଧ୍ୟ ଯିବ । ବିଜେଡି ସହ ସିଧା ଫାଇଟ୍ ନେଇ ଗେମ୍ ପ୍ଲାନ ହେବ ।

ସୋନପୁରରୁ ଶାହ ପ୍ରଚାର କରିବାର ପ୍ରଭାବ ମଧ୍ୟ ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି ଆଦି ଉପରେ ପ୍ରଭାବ ପଡିବ । ଏହି ସବୁ ଲୋକସଭା ସିଟ୍ ଓ ଏହାର ବିଧାନସଭା ସିଟରେ ଲଢିବାକୁ ବିଜେପି କର୍ମୀଙ୍କୁ ବେଶ ଉତ୍ସାହିତ କରିବ । ନେତା ଓ କର୍ମୀଙ୍କୁ ମଧ୍ୟ ଶାହ ଗୁରୁମନ୍ତ୍ର ଦେବେ । ତେଣୁ ଶାହଙ୍କ ସୋନପୁର ଗସ୍ତରୁ ବିଜେପି ଗୋଟିଏ ତୀରରେ ଅନେକ ଲକ୍ଷ୍ୟ ସାଧନ କରିବାକୁ ଯୋଜାନ ରଖିଛି । ତେବେ ରାଜ୍ୟ ସରକାର ଓ ବିଜେଡି ବିରୋଧରେ ତାଙ୍କର କିଭଳି ଆଭିମୁଖ୍ୟ ରହିବ ତାହା ଉପରେ ଏବେ ସଭିଙ୍କ ନଜର । କାରଣ ୨୦୧୪ ଓ ୨୦୧୯ରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥିଲେ ହେଁ ସେତେଟା ସଫଳ ହୋଇ ନ ଥିଲା ।ତେଣୁ ଏଥର ବିଜେଡି ବିରୋଧରେ ବିଜେପିର ଷ୍ଟ୍ରାଟେଜି କଣ ରହିବ ତାହା ଶାହଙ୍କ ଏହି ଗସ୍ତରୁ ସ୍ପଷ୍ଟ ହୋଇପାରେ ।

ସୋନପୁର ପରେ ଭୁବନେଶ୍ୱର ଆସିବେ ଏବଂ ସନ୍ଧ୍ୟାରେ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର‌୍ୟ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ସେ ଭୁବନେଶ୍ୱରରେ ରହିବେ ବୋଲି । ଶାହଙ୍କ ଗସ୍ତ ପରେ ଓଡିଶାରେ ବିଜେପି ନିଜର ପ୍ରଚାରକୁ ଜୋରଦାର କରିବାକୁ ଯାଉଛି। ୨୪ର ଲଢେଇ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।