ଭୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ୪ ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ପାଇଁ ମେ ୧୩ ତାରିଖରେ ହେବ ମତଦାନ । ମଇଦାନରେ ଘମାଘୋଟ ଲଢେଇ ଆରମ୍ଭ ହୋଇ ଯାଇଛି । ୨୮ ବିଧାନସଭାରେ ୨୬୬ ପ୍ରାର୍ଥୀ ଓ ୪ ଲୋକସଭା ଆସନ ପାଇଁ ୩୯ ଜଣ ନାମାଙ୍କନ ଦାଖଲ କରିଛନ୍ତି ।
କେବଳ ବ୍ରହ୍ମପୁର ବିଧାନସଭା ପାଇଁ ମଇଦାନରେ ୨୦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । କୋରାପୁଟ ଲୋକସଭା ପାଇଁ ୧୩, ନବରଙ୍ଗପୁର ପାଇଁ ୪ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ପାଇଁ ୧୧ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ମେ ୧୩ ତାରିଖରେ ଏହି ସବୁ ଆସନରେ ନିର୍ବାଚନ ହେବାକୁ ଯାଉଛି । ପ୍ରଚାର ମଇଦାନ ଦୁଲୁକିଲାଣି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଖାତିର ନ କରି ନେତା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।
ସୂଚନାଯୋଗ୍ୟ, ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହେଉଛି । ମେ ୧୩ ତାରିଖର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଥିବା ବେଳେ ମେ ୨୦ ତାରିଖରେ ଦ୍ୱିତୀୟ, ମେ ୨୫ରେ ତୃତୀୟ ଏବଂ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ରହିଛି । ମେ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।