ଜାଲ ସାର୍ଟିଫିକେଟରେ ଶିକ୍ଷକତା, କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କଳାହାଣ୍ଡିରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ
 
        ଧର୍ମଗଡ଼,ତା୨୬/୪- କଳାହାଣ୍ଡିରେ ପୁଣି ଥରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ହୋଇଛି। ବିଶେଷତଃ ଶିକ୍ଷା ବିଭାଗ ହିଁ ଏହି ରାକେଟର ଟାର୍ଗେଟ ରହୁଛି। ଜଣେ ଶିକ୍ଷକ ନିଯୁକ୍ତି ହେବାକୁ ହେଲେ ବିଭିନ୍ନ ସୋପାନ ଦେଇ ଯିବାକୁ ହୁଏ। ତଥାପି ଏହି ବିଭାଗରେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଏକ ସାଧାରଣ ଘଟଣା ହେଲାଣି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଏହି ବ୍ଳକରେ କାର୍ଯ୍ୟରତ ଦଣ୍ଡପାଣି ଓଟ ନାମକ ଜନୈକ ଶିକ୍ଷକ ନିଜ ସିଟି ସାର୍ଟିଫିକେଟରେ ଜାଲିଆତି କରିଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ ୨୮୭୨ ତା ୨୩/୪/୨୪ରେ ଥୁଆମୁଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଚିଠି ଅନୁଯାୟୀ ଦଣ୍ଡପାଣି ଓଟ,ପିତା-ଦାମୋଦର ଓଟ ପୂର୍ବରୁ ଠିକା ଶିକ୍ଷକ ଭାବେ ନିଯୁକ୍ତ ପାଇଥିଲେ। ସରକାରୀ ନିୟମ ଅନୁଯାୟୀ ପରବର୍ତ୍ତୀ ସମୟରେ ସେ ଲେଭଲ-ଭି ଶିକ୍ଷକଙ୍କୁ ପଦୋନ୍ନତି ପାଇଥିଲେ। ପଦୋନ୍ନତି ସମୟରେ ୧୯୯୧ ନଭେମ୍ବରରେ ସାମନ୍ତରାପୁର ସ୍ଥିତ ଆର ଜେ ଡି ଏନ ଏସ ଟି ଏସ ଅଫ ଏଜୁକେଶନରୁ ଡିଷ୍ଟିଂକସନରେ ପାସ କରିଥିବା ସାର୍ଟିଫିକେଟ ଦାଖଲ କରିଥିଲେ। କିନ୍ତୁ ତାହା ଜାଲ ସାର୍ଟିଫିକେଟ ବୋଲି ସନ୍ଦେହ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ନଂ ୨୧୦/ଏସ ଏସ ଡି/ ତା୩-୨-୨୪ରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନକୂ ସାର୍ଟିଫିକେଟର ବୈଧତା ନେଇ ପଚାରିଥିଲେ। ବୋର୍ଡ଼ କତ୍ତୃପକ୍ଷ ଟେବୁଲେସନ ଏବଂ ବୋର୍ଡରୁ ଜାରି କରାଯାଇଥିବା ସାର୍ଟିଫିକେଟ ଯାଞ୍ଚ କରି ଦଣ୍ଡପାଣି ଓଟଙ୍କ ଦ୍ଵାରା ଦାଖଲ କରାଯାଇଥିବା ସିଟି ସାର୍ଟିଫିକେଟ ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ।। ଏନେଇ ବୋର୍ଡ କର୍ତ୍ତୃପକ୍ଷ ଚିଠି ନଂ ୨୮୯/ସିଆରଆର/ତା ୯-୪-୨୪ରେ କଳାହାଣ୍ଡି ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏବେ ଦେଖିବାକୁ ବାକି ରହିଲା ଥୁଆମୁଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ଜାଲ ସାର୍ଟିଫିକେଟ ରାକେଟ ଏକ ସଂଗଠିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କାମ କରୁଛି। ଅନେକ ସମୟରେ ଏପରି ଘଟଣା ଲୋକଲୋଚନକୁ ଆସୁଛି। ତଦନ୍ତ ହେଉଛି। କିନ୍ତୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏଭଳି ଘଟଣା ଉପରେ ରୋକ ଲାଗୁନାହିଁ।

 
                        
 
                                 
                                 
                                 
                                 
                                