ନୋଟାକୁ ସର୍ବାଧିକ ଭୋଟ୍ ମିଳିଲେ ପୁନର୍ବାର ହେଉ ନିର୍ବାଚନ, ସୁପ୍ରିମକୋର୍ଟରେ ପିଟିସନ ଦାୟର


ନୂଆଦିଲ୍ଲୀ: ନିର୍ବାଚନରେ ଇଭିଏମରେ ଭୋଟିଂ ପରେ ପ୍ରତିଟି ଭିଭିପାଟକୁ ମିଳାଇବାର ଯାଚିକା ସୁପ୍ରିମକୋର୍ଟରେ ନାକଚ ହୋଇ ସାରିଛି । ଏହା ମଧ୍ୟରେ ଆଉ ଏକ ପିଟିସନ ସୁ୍‌ପ୍ରିମକୋର୍ଟରେ ପହଞ୍ଚିଛି । ଏଥିରେ ଦାବି କରାଯାଇଛି ଯେ, ଯଦି କୌଣସି ଆସନରେ ସର୍ବାଧିକ ଭୋଟ ନୋଟାକୁ ଯାଉଛି ତେବେ ସେଠାରେ ପୁନର୍ବାର ନିର୍ବାଚନ କରାଯାଉ । ଏହାର ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଏହି ପ୍ରସଙ୍ଗ ନିର୍ବାଚନ ପ୍ରକ୍ରିୟାର । ତେଣୁ ଏହା ଉପରେ ନିର୍ବାଚନ ଆୟୋଗ କଣ ଉତର ଦେଉଛନ୍ତି ଦେଖିବାକୁ ପଡିବ । ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଆୟୋଗଙ୍କୁ ନୋଟିସ୍ ଜାରି କରି ଏ ସଂପର୍କରେ ଜବାବ ମାଗିଛନ୍ତି ।

ଏହି ଜନସ୍ୱାର୍ଥ ମାମଲା ମୋଟିଭେସନାଲ ସ୍ପିକର ତଥା ଲେଖକ ଶିବ ଖେଡାଙ୍କ ପକ୍ଷରୁ ଦାୟର କରାଯାଇଛି । ଖେଡାଙ୍କ ପକ୍ଷରୁ ହାଜର ଆଇନଜୀବୀ ଗୋପାଳ ଶଙ୍କର ନାରାୟଣ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହା ଉପରେ ବିଚାର କରାଯିବା ଜରୁରୀ । ସେ ସୁରଟ ସିଟରୁ ବିଜେପି ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ଜିତିବାର ଉଦାହରଣ ଦେଇ କହିଛନ୍ତି ସେଠାରେ କେବଳ ମାତ୍ର ଜଣେ ପ୍ରାର୍ଥୀ ଥିଲେ । ତେଣୁ ସବୁ ଭୋଟ୍ ଜଣେ ପ୍ରାର୍ଥୀଙ୍କୁ ହିଁ ଯିବାର ଥିଲା । ତେଣୁ ନିର୍ବାଚନ ଆୟୋଗଙ୍କୁ ନୋଟାକୁ ମଧ୍ୟ ଏକ ନିର୍ବାଚନ ପ୍ରାର୍ଥୀ ଘୋଷିତ କରିଦେବା ଉଚିତ୍ ।

ଯଦି ନିର୍ବାଚନରେ ସର୍ବାଧିକ ଭୋଟ୍ ନୋଟାକୁ ମିଳେ ତେବେ ଉକ୍ତ ଆସନରେ ନିର୍ବାଚନ ଆୟୋଗଙ୍କୁ ପୁଣି ଥରେ ନିର୍ବାଚନ କରାଇବା ଉଚିତ୍ । ୨୦୧୩ରେ ଲୋକସଭା, ବିଧାନସଭା ଓ ମ୍ୟୁନିସିପାଲିଟି ନିର୍ବାଚନରେ ମଧ୍ୟ ନୋଟାର ବ୍ୟବହାର ଆରମ୍ଭ ହୋଇଥିଲା । ତେବେଠୁ ଆଜି ପର୍ଯ୍ୟନ୍ତ ଦୁଇ ଥର ଦାବି କରାଯାଇଛି ଯେ, ନୋଟାକୁ ଏକ କାଳ୍ପନିକ ପ୍ରାର୍ଥୀ ଘୋଷିତ କରାଯାଉ । ପିଟିସନରେ ଏହା ମଧ୍ୟ କୁହାଯାଇଛି ଯେ, ମହାରାଷ୍ଟ୍ର, ହରିୟାଣା , ଦିଲ୍ଲୀ ଓ ପୁଡୁଚେରୀ ସମେତ ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନୋଟାକୁ ନେଇ ନିୟମ ମଧ୍ୟ ଲାଗୁ ହୋଇଛି । ତେଣୁ ନୋଟା ବିଷୟରେ ମଧ୍ୟ ପ୍ରଚାର କରାଯିବାର ଆବଶ୍ୟକତା ଥିବା ଆଇନଜୀବୀ ଖେଡା ସୁପ୍ରିମକୋର୍ଟରେ କହିଛନ୍ତି ।