ଭୋଟ ଦେଲାପରେ କାହିଁକି ଲଗାଯାଏ କାଳି; ଏହା ପଛରେ କଣ ରହିଛି ରହସ୍ୟ ? ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ସମୟରେ ଆମେ ସମସ୍ତେ ଦେଖିଥାଉ ଭୋଟ ଦେଇସାରିଲା ପରେ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଫିସର ମାନେ ଆମ ହାତ ଆଙ୍ଗୁଠିରେ ଏକ ବାଇଗଣୀ ରଙ୍ଗର ଗାର ମାରିଦିଅନ୍ତି | ଆଉ ସେ ଦାଗ ଅତି କମରେ ୧୦ ଦିନ ପର୍ଯ୍ୟନ୍ତ ରହିଥାଏ | ତେବେ ପ୍ରଶ୍ନ ଉଠେ ଭୋଟ ଦେବା ପରେ କାହିଁକି ଏହି ରଙ୍ଗ ଲଗାଯାଏ ?
ପ୍ରତ୍ୟେକ ଭୋଟରଙ୍କ ହାତରେ ଏକ ଛୋଟ କାଳି ଚିହ୍ନ ଲଗାଯାଏ | ବାମ ହାତର ତର୍ଜନୀ ଆଙ୍ଗୁଠିରେ ଲଗାଯାଇଥିବା ଏହି କାଳି ବିଶ୍ୱରେ ଭାରତର ନିର୍ବାଚନୀ ସ୍ୱଚ୍ଛତାର ପ୍ରତୀକ ପାଲଟିଛି। ଯାହା ଏକ ଗୌରବର ବିଷୟ ବୋଲି କୁହାଯାଏ | ଏହାକୁ ଅଲିଭା କାଳି ମଧ୍ୟ କୁହାଯାଏ | ଯାହାର ଅର୍ଥ ହେଉଛି ଏହି କାଳି ଯାହାକୁ ଆପଣ ଯେତେ ଘଷିଲେ ମଧ୍ୟ ପାଣିରେ ଧୋଇଲେ କିମ୍ବା ରାସାୟନିକ ପଦାର୍ଥ ସହିତ ଧୋଇଲେ ମଧ୍ୟ ଛାଡିବ ନାହିଁ। ପ୍ରାରମ୍ଭରେ, ଏହା ବାଇଗଣୀ ଦେଖାଯାଏ | ସମସ୍ତେ ଭାବନ୍ତି ଯେ ଭୋଟ ଦେଇସାରିବାର କିଛି ସମୟ ପରେ ଏହି କାଳି ଅନ୍ୟ ପରି ଲିଭିଯିବ କିମ୍ବା ପାଣିରେ ଧୋଇଦେଲେ ଛାଡ଼ିଯିବ , କିନ୍ତୁ କିଛି ଘଣ୍ଟା ପରେ ଧୀରେ ଧୀରେ ଗାଢ଼ ହୋଇଯାଏ।
ସୂଚନା ଅନୁଯାୟୀ, ଏହି କାଳି ଆମ ଦେଶରୁ ଅନ୍ୟ ଦେଶକୁ ରପ୍ତାନି ହୁଏ |ଏହି ସ୍ୱତନ୍ତ୍ର କାଳି ଭାରତରେ କେବଳ ଦୁଇଟି ସ୍ଥାନରେ ଉତ୍ପାଦିତ ହୁଏ: ମହୀଶୂର ପେଣ୍ଟସ୍ ଆଣ୍ଡ୍ ୱାର୍ଣ୍ଣିସ୍ ଲିମିଟେଡ୍, କର୍ଣ୍ଣାଟକ ଏବଂ ରାୟୁଡୁ ଲାବୋରେଟୋରିଜ୍, ହାଇଦ୍ରାବାଦ, ତେଲେଙ୍ଗାନା। ଏଥିମଧ୍ୟରୁ ମହୀଶୂର ପେଣ୍ଟସ୍ ଆଣ୍ଡ୍ ୱାର୍ଣ୍ଣିସ୍ ଲିମିଟେଡ୍ ର କାଳି ଭାରତର ପ୍ରତ୍ୟେକ ନିର୍ବାଚନରେ ବ୍ୟବହୃତ ହୁଏ। ରାୟୁଡୁ ଲାବୋରେଟୋରିଜ୍ ର କାଳି ଅନ୍ୟ ଦେଶକୁ ରପ୍ତାନି କରାଯାଏ। ଏହା ସେହି ଭାରତୀୟ କାଳି ଯାହା ଥାଇଲ୍ୟାଣ୍ଡ, ମାଲେସିଆ, ତୁର୍କୀ, ଦକ୍ଷିଣ ଆଫ୍ରିକା, ମାଲେସିଆ ଏବଂ ନେପାଳ ସମେତ ପ୍ରାୟ ୯୦ଟି ଦେଶରେ ନିର୍ବାଚନରେ ବ୍ୟବହୃତ ହୋଇଛି।
ଏହି କାଳିର ସ୍ୱତନ୍ତ୍ରତା ଏହାର ରାସାୟନିକ ଗଠନରେ ରହିଛି। ଏଥିରେ ୧୦ ରୁ ୧୮ ପ୍ରତିଶତ ସିଲଭର ନାଇଟ୍ରେଟ୍ ଥାଏ। ଯାହାକି ଆମ ଆଙ୍ଗୁଠିରେ ରହିଯାଏ | ଆଙ୍ଗୁଠିରେ ଲଗାଇଲେ, ଏହା ଆମ ଚର୍ମରେ ଥିବା ଲୁଣ (ସୋଡିୟମ୍ କ୍ଲୋରାଇଡ୍) ସହିତ ପ୍ରତିକ୍ରିୟା କରି ସିଲଭର କ୍ଲୋରାଇଡ୍ ସୃଷ୍ଟି କରେ। ସିଲଭର କ୍ଲୋରାଇଡ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହା ପାଣିରେ ମିଶେନାହିଁ। ଏହି କାରଣରୁ ଏହା ଚର୍ମର ଉପର ସ୍ତର ସହିତ ଦୃଢ଼ ଭାବରେ ଲାଗି ରହିଥାଏ। ଏହା ଲଗାଇବାର ୪୦ ସେକେଣ୍ଡ ମଧ୍ୟରେ କାଳି ସମ୍ପୂର୍ଣ୍ଣ ଶୁଖିଯାଏ ଏବଂ ସୂର୍ଯ୍ୟ କିମ୍ୱା ପାଣି ସଂସ୍ପର୍ଶରେ ଆସିଲେ କଳା ହୋଇଯାଏ। ଯଦିଓ ଆମେ ଏହାକୁ ଲିଭାଇବା ପାଇଁ ସାବୁନ, ତେଲ କିମ୍ବା ଡିଟରଜେଣ୍ଟର ବ୍ୟବହାର କରିଥାଉ ଏହାକୁ ବାହାର କରିବାକୁ କିନ୍ତୁ ଏହା ଆଙ୍ଗୁଠିରୁ ଛାଡି ନଥାଏ| ଏହା ଅତି କମରେ ୭୨ ଘଣ୍ଟା ପାଇଁ ଲିଭେନାହିଁ।

