Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାତିରୁ ନିସ୍ତାର ନାହିଁ, ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ; ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ତତଲା କଡେଇରେ ସାରା ଓଡିଶା । ଭୀଷଣ ଗ୍ରୀଷ୍ମ ପ୍ରବାହରେ କଲବଲ ଲୋକେ । ସକାଳ ୧୦ଟାରେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଏମିତି ତାତିରୁ ଏବେ ନିସ୍ତାର ମିଳିବାର ସମ୍ଭାବନା ନାହିଁ । ଆଗାମୀ ୫ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡିଶାରେ ୪୫ କିମ୍ବା ଅଧିକ ପାରଦ ରେକର୍ଡ ହେବାର ସମ୍ଭାବନା ରହିଛି । ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ତାତି ବଢିବାରେ ଲାଗିଛି । ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଆଗାମୀ ୨ ଦିନ ଦକ୍ଷିଣ ଓଡିଶା ପାଇଁ କାଳ ବୈଶାଳୀର ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

ଉଲ୍ଲେଖନୀୟ ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏଠାରେ ପାରଦ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ୪୩ ଡିଗ୍ରୀ, ହୀରାକୁଦର ୪୩ ଡିଗ୍ରୀ, ରାଉରକେଲାର ୪୨ ଡିଗ୍ରୀ, କେନ୍ଦୁଝରର ୪୧.୮ ଡିଗ୍ରୀ, ଚାନ୍ଦବାଲିର ୪୧.୬ ଡିଗ୍ରୀ, ଭୁବନେଶ୍ୱର ୪୦.୫ ଡିଗ୍ରୀ, ବାଲେଶ୍ୱରର ୩୯.୬ ଡିଗ୍ରୀ, ପୁରୀର ୩୪.୪ ଡିଗ୍ରୀ,ଗୋପାଳପୁରର ୩୩.୬ ଡିଗ୍ରୀ, ପାରାଦୀପର ୩୩.୯ ଡିଗ୍ରୀ ରେକର୍ଡ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ