ଜୟପୁର ରାଜନୀତି ଜୋର, ରବି-ତାରା ତୁତୁ ମେମେ


ଜୟପୁର: ପାରଦ ଯେତିକି ଉପରମୁହାଁ ହୋଇ ଚାଲିଛି ସେହି ହିସାବରେ ଜୟପୁରର ରାଜନୀତି ଜୋର ଧରିଛି । ପୁଣି ଥରେ ତୁତୁ ମେମେ ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ରବି ନାରାୟଣ ନନ୍ଦ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପତ୍ନୀ ବିଧାୟକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପ୍ରେସମିଟ୍ କରି ତାରାଙ୍କ ଉପରେ ବର୍ଷିଛନ୍ତି ରବି । ତାରାଙ୍କୁ ଟାର୍ଗେଟ୍ କରି ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ରବି । ଆଉ ତାରା ମଧ୍ୟ ମୁହଁତୋଡ ଜବାବ ଦେଇଛନ୍ତି ।

ଋବି ନାରାୟଣ ନନ୍ଦ କହିଛନ୍ତି, ଜୟପୁରରେ ବେଧଡକ ଗୋଚାଲାଣ ଚାଲିଛି । ବିଧାୟକ ରୋକିବାରେ ବିଫଳ ହୋଇଛନ୍ତି । ଆମେ ନିର୍ବାଚନ ଜିତିଲେ ଜୟପୁର କାଗଜକଳ ସମସ୍ୟାର ସମାଧାନ ହେବ ଏବଂ କର୍ମଚାରୀଙ୍କୁ ବକେୟା ଦରମା ମିଳିବ । ଏହାର ପ୍ରତିକ୍ରିୟାରେ ତାରାପ୍ରସାଦ ବାହିନୀପତି କହିଛନ୍ତି, ରବି ନନ୍ଦ ହିଁ ଗୋଚାଲାଣରେ ସଂପୃକ୍ତ । ଦଳ ରବି ନନ୍ଦଙ୍କୁ ବିଶ୍ୱାସକୁ ନେଲାନି ବୋଲି ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି । କାଗଜକଳ ରବି ନନ୍ଦଙ୍କ ସମୟରୁ ହିଁ ଭୁଡୁଡି ପଡିଛି । ତେଣୁ ରବି ନିଜ କଥା ବୁଝନ୍ତୁ ଆଗେ ।

ସୂଚନାଯୋଗ୍ୟ,ଏହା ପୂର୍ବରୁ ଅନେକ ଥର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇ ସାରିଛି । ଏଥର ନିର୍ବାଚନରେ ଦକ୍ଷିଣ ଓଡିଶାର ପ୍ରମୁଖ ଆସନ ଜୟପୁରରୁ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । କଂଗ୍ରେସରୁ ବିଧାୟକ ତାରା ପ୍ରସାଦ ବାହିନୀପତି ମଇଦାନରେ ଥିବା ବେଳେ ବିଜେଡି ଏଥର ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି । ଏଠାରେ ବିଜେପି ତୌତମ ସାମନ୍ତରାୟଙ୍କୁ ଟିକେଟ୍ ଦେଇଛି ।