ଭୁବନେଶ୍ୱର: ତତଲା କଡେଇରେ ସାରା ଓଡିଶା । ଭୀଷଣ ଗ୍ରୀଷ୍ମ ପ୍ରବାହରେ କଲବଲ ଲୋକେ । ସକାଳ ୧୦ଟାରେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଏମିତି ତାତିରୁ ଏବେ ନିସ୍ତାର ମିଳିବାର ସମ୍ଭାବନା ନାହିଁ । ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱରରେ ପାରଦ ୪୧ ଡିଗ୍ରୀ ଟପି ୪୧.୨ ରହିଛି । ତେବେ ୪୧.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ପାଣିପାଗ ବିଭାଗ ଅନୁଯାୟୀ, କେନ୍ଦୁଝରରେ ୪୦.୬ ଡିଗ୍ରୀ, ବାଲେଶ୍ୱରରେ ୪୦.୧ ଡିଗ୍ରୀ, ସମ୍ବଲପୁରରେ ୪୦ଡିଗ୍ରୀ, ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯, ରାଉରକେଲାରେ ୩୮.୬, ଗୋପାଳପୁର ଓ ପୁରୀରେ ୩୪.୪, ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟିକେ ଆଗରୁ ଅର୍ଥାତ ସକାଳ ସାଢେ ୮ଟାରେ ତାଳଚେରରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ରହିଥିଲା । ଏହି ସମୟରେ କେନ୍ଦୁଝରରେ ୩୪.୮, ରାଉରକେଲାରେ ୩୪.୮,ବଲାଙ୍ଗୀରରେ ୩୪.୮ ଓ ଭୁବନେଶ୍ୱରରେ ୩୩.୪ ଡିଗ୍ରୀ ତାପମାତ୍ରା ରହିଥିଲା ।
ତେବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ୱେଭ୍ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଅତି ଜରୁରୀ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ମଧ୍ୟ କରାଯାଇଛି।