ଧର୍ମେନ୍ଦ୍ରଙ୍କ ପ୍ରଚାରରେ ସହଯୋଗ କରୁଛନ୍ତି ଆଇଏଫଏସ ଅଫିସର, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି


ଭୁବନେଶ୍ୱର: ନିର୍ବାଚନ ସମୟରେ ବିଜେଡି ଓ ବିଜେପି ମଧ୍ୟରେ ତୁତୁ ମେମେ ଜାରି ରହିଛି । ବିଜେପି କହୁଛି ପ୍ରଚାରରେ ବିଜେଡି ସରକାରୀ ଅଧିକାରୀଙ୍କ ଦୁରୁପଯୋଗ କରୁଛି । ଆଉ ଏବେ ବିଜେଡି ମଧ୍ୟ ସମାନ ଅଭିଯୋଗ ବିଜେପି ବିରୋଧରେ ଆଣିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ ଆଇଏଫଏସ ବିନୟ ପ୍ରଧାନ ସହଯୋଗ କରୁଥିବା ଅଭିଯୋଗ କରିଛି ବିଜେଡି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ଦଳ ।

ବିଜେଡି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ଯେ, ବିନୟ ପ୍ରଧାନ ବର୍ତ୍ତମାନ କନସଲ ଜେନେରାଲ ଭାବେ ଆମେରିକାରେ କାର୍ଯ୍ୟରତ ଅଛନ୍ତି । ହେଲେ ମାସ ଛୁଟିରେ ଆସି ବିନୟ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭାର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର ଦାୟିତ୍ୱ ତୁଲାଉଛନ୍ତି । ଏପରିକି ଧର୍ମେନ୍ଦ୍ର କେନ୍ଦ୍ର ସରକାରରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ବିନୟ ତାଙ୍କ ଓଏସଡି ଥିଲେ । ତେଣୁ ବିନୟଙ୍କ ଉପସ୍ଥିତିରେ ମୁକ୍ତ ଅବାଦ୍ଧ ନିର୍ବାଚନ ହୋଇ ପାରିବ ନାହିଁ । ତେଣୁ ତାଙ୍କୁ ନିଜର କାର୍ଯ୍ୟରତ ସ୍ଥାନକୁ ଯିବାକୁ ଆଦେଶ ଦେବା ସହ ତାଙ୍କ ମୋବାଇଲ ଟ୍ରାକିଂ ସିଡିଅ।।ର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି ।

ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି, ନିର୍ବାଚନ ଆୟୋଗଙ୍କୁ ଏପ୍ରିଲ ୨୪ ଏପ୍ରିଲ ୨୬ ତାରିଖରେ ମେଲ୍ ଜରିଆରେ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛୁ । ତେଣୁ ଆମର ଦାବି ଆଇଏଫଏସ ବିନୟ ପ୍ରଧାନଙ୍କୁ ତୁରନ୍ତ ତାଙ୍କ କାର୍ଯ୍ୟରତ ସ୍ଥାନକୁ ଫେରି ଯିବାକୁ ନିର୍ଦ୍ଦେଶ ଦିଆଯାଉ ।