ଭୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛି । ଦେଶରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇ ସାରିଛି । କିନ୍ତୁ ଓଡିଶାରେ ଏବେ ବି ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ସରିନି । ଏବେ ବି ବିଜେଡିର ୬, କଂଗ୍ରେସର ୯ ଓ ବିଜେପିର ୧୫ଟି ସିଟରେ ପ୍ରାର୍ଥୀ ଦେବା ବାକି ରହିଛି । ବିଜେପି-ବିଜେଡି ଛକାପଞ୍ଝା ଭିତରେ ଆଶାୟୀଙ୍କ ଭାଗ୍ୟ ଝୁଲି ରହିଛି । ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ମଧ୍ୟ ଓହ୍ଲାଇ ପାରୁ ନାହାନ୍ତି । ପ୍ରତି ଦଳ ପରସ୍ପରକୁ ଛକି ରହୁଥିବାରୁ ପ୍ରାର୍ଥୀ ଘୋଷଣା ସରି ପାରିନି ।
ପରସ୍ପରର ରଣନୀତିକୁ ବିଜେପି ଓ ବିଜେଡି ଅପେକ୍ଷା କରିଥିବା ବେଳେ କଂଗ୍ରେସ ଏହା ଉପରେ ନଜର ରଖିଛି। ଏବେ ବି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ଟିକେଟ୍ ମିଳିବା ପରେ ବି ନେତାଙ୍କ ଟିକେଟ୍ କଟୁଛି । ଏସବୁ ପାଇଁ ତିନି ଦଳର ଟିକେଟ୍ ଘୋଷଣା ରଣନୀତି ବଦଳି ଯାଉଛି । ତେଣୁ ଶେଷ ପର୍ଯ୍ୟନ୍ତ ଗୋଟିଚାଳନାରେ ଲାଗି ପଡିଛନ୍ତି । ପ୍ରତିଦଳ ପରସ୍ପରକୁ ସମ୍ଭବତଃ ଛକି ରହୁଥିବା କାରଣରୁ ପ୍ରାର୍ଥୀ ଘୋଷଣା ବିଳମ୍ବ ହେବାରେ ଲାଗିଛି ।
ବିଜେପି ୧୩୨ଟି ସିଟରେ ପ୍ରାର୍ଥୀ ଦେଇଥିବା ବେଳେ ୧୫ ସିଟ୍ ବାକି ରହିଛି । ସେହି ଆସନଗୁଡିକ ହେଉଛି ଖୋର୍ଦ୍ଧା, ବେଗୁନିଆ, କଟକ-ବାରବାଟୀ, ବରୀ, ଭଣ୍ଡାରିପୋଖରୀ, ବାସୁଦେବପୁର, ଭୋଗରାଇ ବସ୍ତା, ନୀଳଗିରି, ହିନ୍ଦୋଳ, ତେଲକୋଇ, ଘଷିପୁରା, ଚମ୍ପୁଆ, ସାଲେପୁର, କେନ୍ଦ୍ରାପଡା । ସେହିପରି କଂଗ୍ରେସ ୧୩୮ଟି ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଟକ-ବାରବାଟୀ, ଜଗତସିଂହପୁର, କାକଟପୁର, ବାଲେଶ୍ୱର, ଜଳେଶ୍ୱର, ଛତ୍ରପୁର, ପାଲଲହଡା, ନୀଳଗିରି, ବଡଚନା ଆସନ ଆଦି ୯ଟିରେ ଟିକେଟ୍ ଦେବା ବାକି ରହିଛି ।
ବିଜେଡି ୧୪୧ ସିଟରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ଆଉ ୬ଟି ସିଟ୍ ଖୋର୍ଦ୍ଧା, ବେଗୁନିଆ, ନୀଳଗିରି, ଭୋଗରାଇରେ ଟିକେଟ୍ ଘୋଷଣା ବାକି ରହିଛି । ବିଭିନ୍ନ ସ୍ଥାନରେ ଘମାଘୋଟ ଲଢେଇ ଆରମ୍ଭ ହୋଇ ଯାଇଥିବା ବେଳେ ପ୍ରଚାର ଜୋରଦାର ଚାଲିଛି । ତେଣୁ ଅବଶିଷ୍ଟ ଆସନରେ ତିନି ଦଳ କେବେ ପ୍ରାର୍ଥୀ ଘୋଷଣା କରିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି ।