ବିଜେଡିରେ ମଉଳିଲା ଟିକେଟ୍ ଆଶା, ଶ୍ରୀମୟୀଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିପାରେ ବିଜେପି


ଭୁୁବନେଶ୍ୱର: ଆଜି ବିଜେଡିରେ ହତାଦାର ଶ୍ରୀମୟୀ ମିଶ୍ର । ଲୋକସଭା ପ୍ରାର୍ଥୀ କରାଇବାର ସ୍ୱପ୍ନ ଦେଖାଇଲେ । ଏପରିକି ଛଅ ମାସ ଭୁୁବନେଶ୍ୱର ସଂସଦୀୟ କ୍ଷେତ୍ରର ସବୁ ଅଞ୍ଚଳ ବୁଲାଇଲେ । ହେଲେ ଠିକ୍ ସମୟରେ ତାଙ୍କୁ ଟିକେଟ୍ ଦେଲାନି ବିଜେଡି । ଭୁୁବନେଶ୍ୱର ଲୋକସଭା ସିଟରୁ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କଲା । ଏହା ପରେ ମାନଭଞ୍ଜନ ପାଇଁ ଶ୍ରୀମୟୀଙ୍କୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି ବିଜେଡି । ଏପରିକି ତାଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ୍ ମିଳିବ ବୋଲି କୁହାଯାଇଥିବା କୁହାଯାଏ । ହେଲେ ବିଜେଡି ଏ ପର୍ଯ୍ୟନ୍ତ ୧୪୪ ସିଟରେ ପ୍ରାର୍ଥୀ ଘୋଷଣା ପରେ ଶ୍ରୀମୟୀଙ୍କ ସେହି ଆଶା ବି ମଉଳି ଯାଇଛି । କୁଆଡେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ଏବଂ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି ।

କୁହାଯାଉଛି ବିଜେପିରେ ଯୋଗ ଦଳ ତାଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିପାରେ । କାରଣ ବିଜେପି ଗତକାଲି ୮ ସିଟରେ ଟିକେଟ୍ ଘୋଷଣା କରିଥିଲେ ହେଁ ଅବଶିଷ୍ଟ ୭ଟି ସିଟ୍ ବାକି ରହିଛି । ଆଉ ଏଥିରେ ବେଗୁନିଆ ସିଟରେ ପ୍ରାର୍ଥୀ ଘୋଷଣା କରାଯିବାର ଅଛି । ତେଣୁ ଶ୍ରୀମୟୀଙ୍କୁ ବିଜେପି ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି । କାରଣ ଶ୍ରୀମୟୀ ପୂର୍ବରୁ ବେଗୁନିଆ ଅଞ୍ଚଳରେ ବୁଲି ନିଜର ସଂଗଠନ ଗଢିଥିଲେ । ଖୋର୍ଦ୍ଧା ଜିଲ୍ଲାରେ ଏସଏଚଜି ଭୋଟ୍ ପରିଚାଳନା କରିଛନ୍ତି । ଲୋକସଭା ପ୍ରାର୍ଥୀ ଘୋଷଣା ନ ହେବା ପୂର୍ବରୁ ଶ୍ରୀମୟୀ ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଅନେକ କାର୍ଯ୍ୟକ୍ରମ କରିଥିଲେ । ସେହି ଦୃଷ୍ଟିରୁ ଶ୍ରୀମୟୀ ମହିଳା ଭୋଟର ହାତେଇ ପାରିବେ ବୋଲି ବିଜେପି ଅନୁଭବ କରୁଛି ।

ସେହିପରି ଖୋର୍ଦ୍ଧାରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବେଗୁନିଆରେ ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । କାରଣ ସେ ପୂର୍ବରୁ ବେଗୁନିଆର ବିଧାୟକ ଥିଲେ। ସେପଟେ ବିଜେଡି ପ୍ରଦୀପ ସାହୁଙ୍କୁ ଟିକେଟ୍ ଦେଇଛି । କିନ୍ତୁ ତାଙ୍କୁ ବେଗୁନିଆର ବିଜେଡି ନେତା ଓ କର୍ମୀ ଗ୍ରହଣ କରି ପାରୁନଥିବା କୁହାଯାଉଛି । ବର୍ତ୍ତମାନ ବେଗୁନିଆ ବିଧାୟକ ଥିବା ରାଜେନ୍ଦ୍ର ସାହୁଙ୍କ ଗୋଷ୍ଠୀ ମଧ୍ୟ ପ୍ରଦୀପଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । ତେଣୁ ବିଜେପି ଏହାର ଫାଇଦା ଉଠାଇବା ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।

ବିଜେପି ନିଜର ବାକିଥିବା ୧୫ଟି ଆସନରୁ ୮ଟିରେ ପ୍ରାର୍ଥୀ ଘୋଷଣା କରିଛି । ମାତ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଆସନ ସମେତ ମୋଟ ୭ଟି ରେ କାହାରିକୁ ପ୍ରାର୍ଥୀ ଘୋଷଣା କରିନି । ତେଣୁ ବିଜେପି ଏବେ ତାଙ୍କ ସହ ଯୋଗସୂତ୍ରରେ ରହି ବେଗୁନିଆ ଟିକେଟ୍ ଅଫର କରିଥିବା ଚର୍ଚ୍ଚା ହେଉଛି । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ବିଜେଡିରେ କୋଣଠେସା ହୋଇ ରହିଛନ୍ତି । ତାଙ୍କର ମଧ୍ୟ ବିଜେପିରେ ମିଶିବାର ସମ୍ଭାବାନ ରହିଛି ।