ଓଡିଶାରେ ରାହୁଲ ଗାନ୍ଧୀ, ମଧୁବାବୁଙ୍କୁ ମାଲ୍ୟାର୍ପଣ ପରେ ଜନସଭାକୁ କରିବେ ସମ୍ବୋଧିତ


କଟକ: ଓଡିଶା ଗସ୍ତରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଭୁୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ସତ୍ୟଭାମାପୁରରେ ପହଞ୍ଚିଥିଲେ । ସେଠାରେ ସେ ଓଡିଶାର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବୁଲି ଦେଖିଛନ୍ତି । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ତାଙ୍କ ସହ ଉପସ୍ଥିତ ଥିଲେ । ଏହା ପରେ ରାହୁଲ ସାଲେପୁରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଏହା ସହିତ ଓଡିଶାରେ କଂଗ୍ରେସର ପ୍ରଚାର ଅଭିଯାନର ବିଗୁଲ ଫୁଙ୍କିବେ ।

ସତ୍ୟଭାମାପୁରୁ ରାହୁଲ ହେଲିକପ୍ଟର ଯୋଗେ ସାଲେପୁରରେ ପହଞ୍ଚି ଜନସମାବେଶକୁ ସମ୍ବୋଧିତ କରିବେ । ଏବେ ସଭିଙ୍କ ନଜର ରାହୁଲଙ୍କ ଭାଷଣ ଉପରେ ରହିଛି । ତାଙ୍କର ଭାଷଣ ବିଜେପିକୁ ଟାର୍ଗେଟରେ କରିବାରେ ସୀମିତ ରହିବ ନା ବିଜେଡିକୁ ଶାଣିତ ସ୍ୱରରେ ସମାଲୋଚନା କରିବେ ତାହା ଉପରେ ସଭିଙ୍କ ନଜର ରହିବ । ତେବେ ରାହୁଲ ଓଡିଶାର ଅସ୍ମିତା ଓ ସ୍ୱାଭିମାନର କଥା ଉଠାଇ ବିଜେଡିକୁ ସମାଲୋଚନା କରି ପାରନ୍ତି । ସେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଅଦୃଶ୍ୟ ମେଣ୍ଟ ପ୍ରସଙ୍ଗ ଉଠାଇ ଦୁଇ ଦଳକୁ କାଠଗଡାକୁ ଟାଣିବାକୁ ଚେଷ୍ଟା କରି ପାରନ୍ତି । ୨୦୨୪ ନିର୍ବାଚନରେ ଏହା ରାହୁଲଙ୍କ ପ୍ରଥମ ଓଡିଶା ଗସ୍ତ । ତାଙ୍କର ଏହି ଗସ୍ତକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।