ବିଜେପି ଓ ବିଜେଡି ଉପରେ ବର୍ଷିଲେ ରାହୁଲ, କହିଲେ- ଓଡିଶାକୁ ପାନ ଅର୍ଥ ପାଣ୍ଡିଆନ ଚଳାଉଛି


କଟକ: ସାଲେପୁରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ନବୀନ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଏତେ ଖରାରେ ଆସିଥିବାରୁ ରାହୁଲ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପି ଡବଲ ଏ ଡବଲ ଏନ ସରକାର ଚଳାଉଛନ୍ତି ବୋଲି ରାହୁଲ କହିଛନ୍ତି । ।

ଋାହୁଲ କହିଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଯେମିତି ଅରବପତିଙ୍କ ସରକାର ଚଳାଇଛନ୍ତି ଠିକ୍ ସେମିତି ଓଡିଶାରେ ନବୀନ ଜୀ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି । କଂଗ୍ରେସ ତେଲେଙ୍ଗାନାରେ ବିଜେପି-ବିଆରଏସ ମେଣ୍ଟ ପଦାକୁ ଆଣିଥିଲା । ନିର୍ବାଚନ ହେଲା ଆଉ ସେଠାରେ ବିଆରଏସ ପୁରା ଉଡିଗଲା । ଆଉ ଓଡିଶାରେ ବିଜେପି-ବିଜେଡି ମଧ୍ୟରେ ବାହାଘର ହୋଇ ସାରିଛି । ଏଠାରେ ଦୁଇ ଜଣ ଏକାଠି ରହି ଓଡିଶାବାସୀଙ୍କୁ ପାନ ଦେଇଛନ୍ତି । ଅଙ୍କଲ ଓ ନବୀନ ବାବୁ ମିଶି ଓଡିଶା ଲୋକଙ୍କୁ ପାନ ଧରାଇ ଦେଇଛନ୍ତି । ପାନ ଅର୍ଥ ଓଡିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି ।

ଋାହୁଲ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଟଙ୍କା ଲୁଟି ନେଲେ । ଖଣିରୁ ପ୍ରଚୁର ଲୁଟିଛନ୍ତି । ଆପଣଙ୍କ ଅର୍ଥ ବିଜେପି ଓ ବିଜେଡି ମିଶି ଲୁଟିଛନ୍ତି । ହେଲେ କଂଗ୍ରେସ ସରକାରକୁ ଆସିଲେ ସବୁ ଟଙ୍କା ଆପଣଙ୍କୁ ଫେରସ୍ତ କରାଯିବ । ଓଡିଶାରେ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ । ଏଥିସହ ରାହୁଲ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ୨୦୦ ୟୁନିଟ ମାଗଣା ବିଜୁଳି, ଗ୍ୟାସ୍ ୫ ଶହ ଟଙ୍କାରେ ଦିଆଯିବ । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ଦିଆଯିବ । ଏପରିକି ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ଟଙ୍କା ମିଳିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।

ସେ କହିଛନ୍ତି, ୨୨ ଜଣଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଦେଇଛନ୍ତି ମୋଦୀ । ହେଲେ କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କ ଅର୍ଥ ଫେରସ୍ତ ହେବ । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ । ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରତି ମାସରେ ୮ ହଜାର ୫୦୦ ଟଙ୍କା ମହିଳାଙ୍କ ଖାତାକୁ ଯିବ । ଯୁବକଙ୍କୁ ରୋଜଗାର ଦିଆଯିବ ଏବଂ ଗୋଟିଏ ବର୍ଷରେ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ରର ମୋଦୀ ସରକାର ୨୨ ଜଣ ଲୋକଙ୍କୁ ଅରବପତି କରି ଦେଲେ । କିନ୍ତୁ ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ । କମିଶନ ବସାଇବୁ ଏବଂ ଚାଷୀଙ୍କ ଋଣ ଛାଡ କରିବୁ । ଆଶା ଓ ଅଙ୍ଗନବାଡି ଦିଦିଙ୍କ ପାରିଶ୍ରମିକ ଦୁଇ ଗୁଣା କରିବୁ । ମନରେଗା ମଜୁରୀ ୪ ଶହ ଟଙ୍କାକୁ ବୃଦ୍ଧି କରିବୁ । ଆଦିବାସୀଙ୍କୁ ଜଙ୍ଗଲ, ଜଳ, ଜମି ହସ୍ତାନ୍ତର କରାଯିବ ।

ପେହଲି ଜୌକରୀ ପକ୍କି ଯୋଜନା ଆଣିବ କଂଗ୍ରେସ । ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ । ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ । ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍ ଦିଆଯିବ । ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ । ଆପଣମାନେ ବହୁତ ପାନ ଖାଇ ଦେଲେ । ଆପଣଙ୍କ ପେଟ ବି ଖରାପ ହୋଇଗଲାଣି । କେନ୍ଦ୍ରରେ ମୋଦୀଙ୍କୁ ୧୦ ବର୍ଷ ସମୟ ଦେଲେ । ଏଥର କଂଗ୍ରେସ ସରକାର ଆଣନ୍ତୁ ବୋଲି ରାହୁଲ ଲୋକଙ୍କୁ ଅପିଲ୍ କରିଛନ୍ତି ।