ନଗେନ୍ଦ୍ର ହୋଇ ପାରନ୍ତି ସମ୍ବଲପୁର କଂଗ୍ରେସ ପ୍ରାର୍ଥୀ, ବିଗିଡିପାରେ ଧର୍ମେନ୍ଦ୍ର ଓ ବବିଙ୍କ ଅଙ୍କ !


ସମ୍ବଲପୁର: ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ନିକଟରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳ ସମ୍ବଲପୁର ଲୋକସଭା ସିଟରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏମିତି ହେଲେ ସମ୍ବଲପୁରର ରାଜନୈତିକ ସମୀକରଣ ବଦଳିପାରେ । ଏହା ବିଜେଡି ଓ ବିଜେପିର ହିସାବକୁ ଗୋଳମାଳିଆ କରିପାରେ । ନଗେନ୍ଦ୍ର ଆଠମଲ୍ଲିକରୁ ତିନି ଥର ବିଧାୟକ ଭାବେ ଏବଂ ସମ୍ବଲପୁରରୁ ଥରୁଟିଏ ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି ।
ନଗେନ୍ଦ୍ର ପ୍ରଧାନ ୧୯୯୦ରେ ପ୍ରଥମ ଥର ଆଠମଲ୍ଲିକରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ଗଠନ ପରେ ଏହି ଦଳରେ ମିଶି ୨୦୦୦ ଓ ୨୦୦୪ରେ କ୍ରମାଗତ ଏହି ଆସନରୁ ନିର୍ବାଚନ ଜିତିଥିଲେ । ଲଗାତାର ୯ ବର୍ଷ ବିଧାୟକ ରହିବା ସହ ରାଜ୍ୟ କ୍ୟାବିନେଟରେ ଗଣ ଶିକ୍ଷା ମନ୍ତ୍ରୀ ଭାବେ ଗୁରୁ ଦ୍ୱାୟିତ୍ୱ ସମ୍ଭାଳିଥିଲେ । ହେଲେ ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ବିଜେଡି ତାଙ୍କ ଟିକେଟ୍ କାଟି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ନଗେନ୍ଦ୍ରଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା । କିନ୍ତୁ ୨୦୧୪ରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ସିଟରୁ ପ୍ରାର୍ଥୀ କରିଥିଲା । ଆଉ ନଗେନ୍ଦ୍ର ନିର୍ବାଚନ ଜିତି ହାଇକମାଣ୍ଡଙ୍କ ସମ୍ମାନ ରଖିଥିଲେ ।
ହେଲେ ୨୦୧୯ରେ ବିଜେଡି ତାଙ୍କୁ ଭରସା କରି ନ ଥିଲା । ତାଙ୍କ ସ୍ଥାନରେ ସମ୍ବଲପୁର ଲୋକସଭା ସିଟରେ ନଳିନୀକାନ୍ତ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା । ହେଲେ ନଳିନୀ ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ଟିକେଟ୍ ପାଇବେ ଆଶା ରଖିଥିଲେ ନଗେନ୍ଦ୍ର ପ୍ରଧାନ । କିନ୍ତୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ନଗେନ୍ଦ୍ରଙ୍କ ସବୁ ଆଶା ମଉଳିଗଲା । ଆଉ ଶେଷରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।
ନରେନ୍ଦ୍ରଙ୍କ ନିଜସ୍ୱ ସଂଗଠନ ରହିବା ସହିତ ନିଜର ସମର୍ଥକ ଗୋଷ୍ଠୀ ମଧ୍ୟ ଅଛନ୍ତି । ତାଙ୍କର ପଟ୍ଟପରିବର୍ତ୍ତନ ଉଭୟ ବିଜେଡି ଓ ବିଜେପିର ସଂଖ୍ୟା ଗଣିତକୁ ବିଗାଡି ଦେଇଛି । ନରେନ୍ଦ୍ରଙ୍କ ସହ ଯଦି ତାଙ୍କର ପୁରୁଣା ସମର୍ଥକ ରୁହନ୍ତି ତେବେ ବିଜେଡି ଓ ବିଜେପିର ଭୋଟହାର କମିବା ନିଶ୍ଚିତ । ସେମିତିରେ ସମ୍ବଲପୁର ଲୋକସଭାରେ ଆଠମଲ୍ଲିକର ପ୍ରଭାବ ରହି ଆସିଛି । ୨୦୦୯ରେ ଆଠମଲ୍ଲିକର ପୂର୍ବତନ ବିଧାୟକ ଅମରନାଥ ପ୍ରଧାନ ସମ୍ବଲପୁର ସାଂସଦ ଭାବେ ନିର୍ବାଚନ ଜିତିଥିବା ବେଳେ ୨୦୧୪ରେ ଖୋଦ୍ ନଗେନ୍ଦ୍ର ସାଂସଦ ହୋଇଥିଲେ ।
ଏଠାରେ ସୂଚନା ଯୋଗ୍ୟଯେ ଏଇ ସପ୍ତାହରେ ସମ୍ବଲପୁର ଲୋକସଭା ପାଇଁ କ୍ରୀଡା ସଂଗଠକ ଦୁଲାଲ ପ୍ରଧାନଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରି ସାରିଛି।ଘୋଷଣା ପରେ ଦୁଲାଲ ମାଁ ସମଲେଶ୍ବରୀଙ୍କ ନିକଟରେ ପୂଜାର୍ଚନା କରି ନିର୍ବାଚନ ମୈଦାନକୁ ଓଲ୍ଲେଇ ସାରିଛନ୍ତି।କିନ୍ତୁ ପିସିସି ପକ୍ଷରୁ ଡାକରା ପାଇ ଦୁଲାଲ ଭୁବନେଶ୍ବର ଯାଇଥିବାରୁ ଟିକଟ ପରିବର୍ତ୍ତନ କରାଯାଇ ଦୁଲାଲଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ନେଇ ୩ ଦିନ ହେଲା ଚର୍ଚା ସରଗରମ ହୋଇଛି।