ଧର୍ମେନ୍ଦ୍ର-ନଗେନ୍ଦ୍ର-ପ୍ରଣବ, ରୋଚକ ହେବ ସମ୍ବଲପୁରରେ ତ୍ରିମୁଖୀ ଲଢେଇ


ସମ୍ବଲପୁର: ଏବେ ସମ୍ବଲପୁରରେ ହେବ ତ୍ରିମୁଖୀ ଲଢେଇ । ପ୍ରଥମେ ଆକଳନ କରାଯାଉଥିଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡା ମୁକାବିଲା ହେବ । ହେଲେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଏଣ୍ଟ୍ରି ମାରିବା ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଲଢେଇ ଆହୁରି ରୋଚକ ହେବାକୁ ଯାଉଛି । ନିକଟରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନଗେନ୍ଦ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ପ୍ରଥମେ କଂଗ୍ରେସ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ତାଙ୍କୁ ବଦଳାଇ ନଗେନ୍ଦ୍ରଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ବର୍ତ୍ତମାନ ସମ୍ବଲପୁରର ରାଜନୈତିକ ସମୀକରଣ ବଦଳିବାକୁ ଯାଉଛି । ଏହା ବିଜେଡି ଓ ବିଜେପିର ହିସାବକୁ ଗୋଳମାଳିଆ କରିପାରେ । ନଗେନ୍ଦ୍ର ଆଠମଲ୍ଲିକରୁ ତିନି ଥର ବିଧାୟକ ଭାବେ ଏବଂ ସମ୍ବଲପୁରରୁ ଥରୁଟିଏ ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି ।

ନଗେନ୍ଦ୍ର ପ୍ରଧାନ ୧୯୯୦ରେ ପ୍ରଥମ ଥର ଆଠମଲ୍ଲିକରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ଗଠନ ପରେ ଏହି ଦଳରେ ମିଶି ୨୦୦୦ ଓ ୨୦୦୪ରେ କ୍ରମାଗତ ଏହି ଆସନରୁ ନିର୍ବାଚନ ଜିତିଥିଲେ । ଲଗାତାର ୯ ବର୍ଷ ବିଧାୟକ ରହିବା ସହ ରାଜ୍ୟ କ୍ୟାବିନେଟରେ ଗଣ ଶିକ୍ଷା ମନ୍ତ୍ରୀ ଭାବେ ଗୁରୁ ଦ୍ୱାୟିତ୍ୱ ସମ୍ଭାଳିଥିଲେ । ହେଲେ ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ବିଜେଡି ତାଙ୍କ ଟିକେଟ୍ କାଟି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ନଗେନ୍ଦ୍ରଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିଲା । କିନ୍ତୁ ୨୦୧୪ରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ସିଟରୁ ପ୍ରାର୍ଥୀ କରିଥିଲା । ଆଉ ନଗେନ୍ଦ୍ର ନିର୍ବାଚନ ଜିତି ହାଇକମାଣ୍ଡଙ୍କ ସମ୍ମାନ ରଖିଥିଲେ ।

ହେଲେ ୨୦୧୯ରେ ବିଜେଡି ତାଙ୍କୁ ଭରସା କରି ନ ଥିଲା । ତାଙ୍କ ସ୍ଥାନରେ ସମ୍ବଲପୁର ଲୋକସଭା ସିଟରେ ନଳିନୀକାନ୍ତ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା । ହେଲେ ନଳିନୀ ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ଟିକେଟ୍ ପାଇବେ ଆଶା ରଖିଥିଲେ ନଗେନ୍ଦ୍ର ପ୍ରଧାନ । କିନ୍ତୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ନଗେନ୍ଦ୍ରଙ୍କ ସବୁ ଆଶା ମଉଳିଗଲା । ଆଉ ଶେଷରେ ସେ କଂଗ୍ରେସରେ ଯୋଗ ଏବେ ଲୋକସଭା ପ୍ରାର୍ଥୀ ।

ନଗେନ୍ଦ୍ରଙ୍କ ନିଜସ୍ୱ ସଂଗଠନ ରହିବା ସହିତ ନିଜର ସମର୍ଥକ ଗୋଷ୍ଠୀ ମଧ୍ୟ ଅଛନ୍ତି । ତାଙ୍କର ପଟ୍ଟପରିବର୍ତ୍ତନ ଉଭୟ ବିଜେଡି ଓ ବିଜେପିର ସଂଖ୍ୟା ଗଣିତକୁ ବିଗାଡି ଦେଇଛି । ନରେନ୍ଦ୍ରଙ୍କ ସହ ଯଦି ତାଙ୍କର ପୁରୁଣା ସମର୍ଥକ ରୁହନ୍ତି ତେବେ ବିଜେଡି ଓ ବିଜେପିର ଭୋଟହାର କମିବା ନିଶ୍ଚିତ । ସେମିତିରେ ସମ୍ବଲପୁର ଲୋକସଭାରେ ଆଠମଲ୍ଲିକର ପ୍ରଭାବ ରହି ଆସିଛି । ୨୦୦୯ରେ ଆଠମଲ୍ଲିକର ପୂର୍ବତନ ବିଧାୟକ ଅମରନାଥ ପ୍ରଧାନ ସମ୍ବଲପୁର ସାଂସଦ ଭାବେ ନିର୍ବାଚନ ଜିତିଥିବା ବେଳେ ୨୦୧୪ରେ ଖୋଦ୍ ନଗେନ୍ଦ୍ର ସାଂସଦ ହୋଇଥିଲେ । ତେବେ ସମ୍ବଲପୁରରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ଦେବାରେ ବହୁ ବିଳମ୍ବ କରି ସାରିଛି । ବିଜେପି ଓ ବିଜେଡି କେବେଠୁ ନିର୍ବାଚନ ପ୍ରଚାର ଜୋରଦାର କରି ସାରିଲେଣି । ଯାହାର ପ୍ରଭାବ ତୃଣମୂଳ ସ୍ତରରେ ଦେଖିବାକୁ ମିଳିଲାଣି । ବିଳମ୍ବ ହେଲେ ପଛେ କଂଗ୍ରେସ ଜଣେ ମଜବୁତ ନେତା ଭାବେ ନଗେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି ।

ଦେଖିବାକୁ ଗଲେ ଧର୍ମେନ୍ଦ୍ର ପ୍ରଧାନ ଓ ନଗେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ସିଟ୍ ପାଇଁ ପରିଚିତ ନେତା । କିନ୍ତୁ ବିଜେଡିର ପ୍ରଣବ ପ୍ରକାଶ ଦାସ ପଶ୍ଚିମ ଓଡିଶାରେ ସେତେ ଗ୍ରହଣୀୟ ହୋଇ ପାରି ନାହାନ୍ତି । ତିନି ନେତାଙ୍କ ନିଜସ୍ୱ ସଂଗଠନ କରିବା ସହ ସମର୍ଥକ ମଧ୍ୟ ରହିଛନ୍ତି । ବର୍ତ୍ତମାନ ଧର୍ମେନ୍ଦ୍ର-ନଗେନ୍ଦ୍ର-ପ୍ରଣବ ତ୍ରିମୁଖୀ ଲଢେଇରେ ଦୁଲୁକିବ ସମ୍ବଲପୁର ସଂସଦୀୟ କ୍ଷେତ୍ର । କିନ୍ତୁ ପ୍ରଚାରରେ ଧର୍ମେନ୍ଦ୍ର ପ୍ରଧାନ ସଭିଙ୍କଠୁ ଢେର ଆଗରେ ଅଛନ୍ତି । ସେ ଗତ ୬ ମାସରୁ ଅଧିକ ସମୟ ହେବ ସମ୍ବଲପୁରରେ ସଂଗଠନ ଗଢିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିଲେ । ଆଉ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ପ୍ରଣବଙ୍କୁ ପ୍ରାର୍ଥୀ କରିଛି । ଆଉ ଏବେ ନଗେନ୍ଦ୍ର ପ୍ରଧାନ ଲଢେଇକୁ ରୋଚକ କରିବାକୁ ଯାଉଛନ୍ତି । ନଗେନ୍ଦ୍ରଙ୍କୁ ଏବେ ଧୂଆଁଧାର ପ୍ରଚାର କରିବାକୁ ପଡିବ । ନଚେତ୍ ତାଙ୍କୁ କେବଳ ପ୍ରାର୍ଥୀ ହେବାରେ ସାର ହେବାକୁ ପଡିବ ।