ସମରେନ୍ଦ୍ର ମିଶ୍ରଙ୍କ ପକ୍କା ବଲାଙ୍ଗିରିଆ କ୍ୟାମ୍ପେନ ଫେଲ୍ ମାରିଲା


ବଲାଙ୍ଗୀର: ବଲାଙ୍ଗୀର ବିଧାନସଭା ସିଟରେ ଏଥର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ନରସିଂହ ଏଥର ନିଜେ ନିର୍ବାଚନ ଲଢୁ ନ ଥିବାରୁ ଏହି ସିଟରୁ ତାଙ୍କ ପୁଅକୁ ଲଢାଉଛନ୍ତି । ଆଉ ବିଜେଡି ପକ୍ଷରୁ ମଇଦାନରେ ଅଛନ୍ତି ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ । ନିର୍ବାଚନ ଆସିଲେ ସ୍ୱାଭାବିକ ଭାବେ ବଲାଙ୍ଗୀରରେ କିଏ ପ୍ରକୃତ ବଲାଙ୍ଗିରିଆ ପ୍ରସଙ୍ଗ ମଧ୍ୟ ଉଠିଥାଏ । ପ୍ରାର୍ଥୀମାନେ ନିଜକୁ ପ୍ରକୃତ ବଲାଙ୍ଗିରିଆ କହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ଏଥର ମଧ୍ୟ ଠିକ୍ ସେହି ସମାନ ରଣନୀତି ଆପଣେଇଛନ୍ତି ପ୍ରାର୍ଥୀମାନେ । ଏଥିରେ ଟିକିଏ ନିଜକୁ ଆଗରେ ରଖିବାକୁ ଚେଷ୍ଟା କରିଛନ୍ତି ସମରେନ୍ଦ୍ର ମିଶ୍ର ।

କଂଗ୍ରେସର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜକୁ ପକ୍କା ବଲାଙ୍ଗିରିଆ କହି ନିର୍ବାଚନ ଜିତାଇବାକୁ ଭୋଟରଙ୍କୁ ଅପିଲ୍ କରୁଛନ୍ତି । ଆଉ ତାଙ୍କୁ ଏଥିରେ କଡା ଟକ୍କର ଦେଉଛନ୍ତି କଳିକେଶ ନାରାୟଣ ସିଂହ ଦେଓ । କହିବାକୁ ଗଲେ ସମରେନ୍ଦ୍ର ମିଶ୍ରଙ୍କ ପକ୍କା ବଲାଙ୍ଗିରିଆ କ୍ୟାମ୍ପେଲ ଫେଲ୍ ମାରିଛି । କାରଣ କଂଗ୍ରେସ ବଲାଙ୍ଗୀର ଲୋକସଭା ସିଟରେ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ଆଉ ମନୋଜ ମିଶ୍ର ହେଉଛନ୍ତି ସମ୍ବଲପୁରର ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ବଲାଙ୍ଗୀର ଓ ସମ୍ବଲପୁର ମଧ୍ୟରେ ରହିଛି ତିକ୍ତତା ସଂପର୍କ । ଆଉ ଜଣେ ସମ୍ବଲପୁରିଆଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ସମରେନ୍ଦ୍ର । ତେଣୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କେମିତି ନିଜକୁ ସଚ୍ଚୋଟ ଏବଂ ପ୍ରକୃତ ବଲାଙ୍ଗିରିଆ ଦାବି କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦି ସମରେନ୍ଦ୍ର ପ୍ରକୃତ ବଲାଙ୍ଗିରିଆ ହୋଇଥାନ୍ତେ ତେବେ ସେ ନିଶ୍ଚିତ ରୂପେ ହାଇକମାଣ୍ଡଙ୍କ ନିକଟରେ ବଲାଙ୍ଗୀର ଲୋକସଭା ପାଇଁ ବଲାଙ୍ଗୀର ସ୍ଥାନୀୟ ଅଞ୍ଚଳରୁ ପ୍ରାର୍ଥୀ ଦେବାକୁ ଦାବି କରିଥାନ୍ତେ । କିନ୍ତୁ ସେ ମନୋଜ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ କେବେ ବିରୋଧ କରି ନାହାନ୍ତି ।

ଅନ୍ୟପଟେ ଓଭୋ ଫାର୍ମ ପାଇଁ ଚର୍ଚ୍ଚାକୁ ଆସିଥିଲେ ସମରେନ୍ଦ୍ର । ଶେଷ ଥର ୨୦୧୯ରେ ଲୋକସଭା ଲଢିଥିଲେ ହେଁ ଦୁଇ ଲକ୍ଷ ୭୧ ହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ନିଜକୁ ପ୍ରକୃତ ବଲାଙ୍ଗିରିଆର ହ୍ୟାସଟ୍ୟାଗ ମାରିବାକୁ ଚେଷ୍ଟା କରୁଥିବା ସମରେନ୍ଦ୍ରଙ୍କ ଏହି କ୍ୟାମ୍ପେଲ ଫେଲ୍ ମାରିଛି । ତେବେ ଏଥର ବିଧାନସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରାଉଥିବା ସମରେନ୍ଦ୍ର କେତେ ସଫଳ ହେବ ତାହା ସମୟ କହିବ ।