ଓଡିଶାରେ ଜମିବ କଂଗ୍ରେସର ପ୍ରଚାର, ଏହି ତାରିଖରେ ଆସୁଛନ୍ତି ରାହୁଲ ଓ ପ୍ରିୟଙ୍କା


ଭୁୁବନେଶ୍ୱର: ଓଡିଶାରେ ଜମିଲାଣି ନିର୍ବାଚନ ପ୍ରଚାର । ରାଜ୍ୟକୁ ହେଲାଣି କେନ୍ଦ୍ରୀୟ ନେତାଙ୍କ ଆଗମନ । ପାରଦ ବଢିବା ସହ ରାଜନୈତିକ ଉଷ୍ଣତା ମଧ୍ୟ ବଢିବାରେ ଲାଗିଛି । ବିଜେପି ପରି କଂଗ୍ରେସର ନଜର ମଧ୍ୟ ଓଡିଶା ଉପରେ । ତେଣୁ ଦେଶର ଏହି ସର୍ବପୁରାତନ ଓଡିଶାରେ ନିଜର ପ୍ରଚାର ଅଭିଯାନ ଜୋରଦାର କରିବାକୁ ଯାଉଛି । ଏହିକ୍ରମରେ ଆସନ୍ତା ୩ ତାରିଖରେ ରାହୁଲ ଗାନ୍ଧୀ ରାୟଗଡା ଏବଂ ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବେ ବୋଲି ପିସିସି ସୂତ୍ରରୁ ପ୍ରକାଶ ।

ଓଡିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ମେ ୩ ତାରିଖରେ ରାହୁଲଙ୍କ ରାୟଗଡାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ମଧ୍ୟ ସଭାରେ ଯୋଗ ଦେବ । କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଓ ଦଳର ଅନ୍ୟ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ରାହୁଲ ପ୍ରଚାର କରିବେ । ଏହା ବ୍ୟତୀତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାହୁଲଙ୍କ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ମେ ୯ ତାରିଖରେ ନବରଙ୍ଗପୁର ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏ ନେଇ ପ୍ରସ୍ତୁତି କରିବାକୁ ନବରଙ୍ଗପୁର ନେତାମାନଙ୍କୁ କୁହାଯାଇଛି । ମେ ୧୩ରେ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏହି ସବୁ ଅଞ୍ଚଳରେ ମତଦାନ ହେବାକୁ ଯାଉଛି । ତେଣୁ କଂଗ୍ରେସ ଏଠାରେ ପ୍ରଚାରକୁ ଜୋରଦାର କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଅର୍ଥାତ ଏପ୍ରିଲ ୨୮ ତାରିଖରେ ରାହୁଲ ଗାନ୍ଧୀ ସାଲେପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ଉପରେ ଖୁବ୍ ବର୍ଷିଥିଲେ । ଏହା ସହିତ କଂଗ୍ରେସ କ୍ଷମତାକୁ ଆସିଲେ ଯୁବ, ମହିଳା ଓ ଚାଷୀଙ୍କ ପାଇଁ କଣ କଣ କରିବ ତାର ବ୍ଲୁ ପ୍ରିଣ୍ଟ ରଖିବା ସହ ପ୍ରତିଶ୍ରୁତି ଦେଇଥିଲେ ।