ବିଜେଡି ଛାଡିବେ ସମୀର ! ନିମାପଡାରୁ ଲଢିପାରନ୍ତି ସ୍ୱାଧୀନ ପ୍ରାର୍ଥୀ, ବଢିବ ଶାସକ ଦଳର ମୁସ୍କିଲ


ଭୁୁବନେଶ୍ୱର: ଏବେ ଶଙ୍ଖ ଶିବିରରେ ସମୀର ଦାସଙ୍କୁ ନେଇ ଗୁଞ୍ଜରଣ । ବିବାଦୀୟ ନେତା କହି ୨୦୨୪ ନିର୍ବାଚନରେ ନିମାପଡାରୁ ସମୀର ଦାସଙ୍କ ଟିକେଟ୍ କାଟି ଦିଆଗଲା । ଏହାକୁ ନେଇ କେବଳ ସମୀର ନୁହନ୍ତି ନିମାପଡାରେ ସମୀରଙ୍କ ସମର୍ଥକ ବେଶ କ୍ଷୁବ୍ଧ । ଟିକେଟ୍ କଟିବା ପରେ ତାଙ୍କ କଥାକୁ ପୁନର୍ବିଚାର କରାଯାଉ ବୋଲି ସମୀର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । ହେଲେ ତାଙ୍କ କଥାକୁ ବିଜେଡି ଗୁରୁତ୍ୱ ଦେଇ ନାହିଁ । ତେଣୁ ସମୀର ଖୁବ୍ ଶୀଘ୍ର ବିଜେଡି ଛାଡିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ସମୀର ରଞ୍ଜନ ଦାସ ନିମାପଡାରୁ ୨୦୦୯, ୨୦୦୪ ଏବଂ ୨୦୧୯ରେ କ୍ରମାଗତ ନିର୍ବାଚନ ଜିତିଥିଲେ । ତାଙ୍କୁ ନବୀନଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ଗଣ ଶିକ୍ଷା ମନ୍ତ୍ରୀ ପଦ ମିଳିଥିଲା । ହେଲେ ଗୋଟିଏ ଆପତ୍ତିଜନକ ଭିଡିଓ ଭାଇରାଲ ହେବାରୁ ସେ ବିବାଦୀୟ ହୋଇ ପଡିଥିଲେ । ପରିଣାମସ୍ୱରୂପ ଦଳ ତାଙ୍କର ଟିକେଟ୍ କାଟି ନିମାପଡାରୁ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ଟିକେଟ୍ ମିଳିବାର ୧୦ ଦିନ ପୂର୍ବେ ଦିଲୀପ ବିଜେପିରେ ମିଶିଥିଲେ । ତଥାପି ଦଳ ତାଙ୍କ କଥାକୁ ପୁନର୍ବିଚାର କରିବ ବୋଲ ଭାବିଥିଲେ ସମୀର । କିନ୍ତୁ ଏମିତି କିଛି ହେଲା ନାହିଁ । ଦଳ ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଚୂଡାନ୍ତ ବୋଲି ଦଳ ପକ୍ଷରୁ ସଙ୍କେତ ଦିଆଗଲା । ଆଉ ଏବେ ବହୁ ବିଚାର ବିମର୍ଶ ପରେ ସମୀର ବିଜେଡିଠୁ ଦୂରେଇବାରେ ଲାଗିଛନ୍ତି । ଏପରିକି ସେ ବିଜେଡି ଛାଡି ନିମାପଡାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ତାଙ୍କ ସମର୍ଥକ କହିଲେଣି ।

ଏହା ମଧ୍ୟ କୁହାଯାଉଛି ସମୀର ଏବଂ ତାଙ୍କ ଗୋଷ୍ଠୀ ନିମାପଡାରେ ବିଜେଡି ପ୍ରାର୍ଥୀଙ୍କୁ ଜିତିବାକୁ ଦେବେନି । ନିଜେ ବରଂ ହାରିବେ କିନ୍ତୁ ଏଠାରୁ ବିଜେଡିକୁ ଧୂଳି ଚଟାଇବେ ବୋଲି ତାଙ୍କ ସମର୍ଥକ କହିଲେଣି । ଏହାକୁ ନେଇ ନିମାପଡାରେ ଚର୍ଚ୍ଚା ଜୋର ଧରିଛି । କେବଳ ନିମାପଡା ନୁହେଁ କାକଟପୁରରେ ମଧ୍ୟ ଶଙ୍ଖ ବାଜିବା କଷ୍ଟକର ହେବ ବୋଲି କୁହାଯାଉଛି । ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କୁ ନିମାପଡାରେ ଖୁବ୍ ବିରୋଧ କରାଯାଉଛି । ଦଳରେ ସତ୍ୟବ୍ରତ ପାତ୍ରଙ୍କ ଭଳି ନେତା ଥିଲେ ମଧ୍ୟ ଦିଲୀପଙ୍କୁ ପ୍ରାର୍ଥୀ କରାଇ ନିମାପଡା ବିଜେଡି ସମର୍ଥକଙ୍କୁ ଧୋକା ଦିଆଯାଇଥିବା କୁହାଯାଉଛି । ଏପରିକି ସମୀରଙ୍କ ହଜାର ହଜାର ସମର୍ଥକ ନିମାପଡାରେ ଦିଲୀପଙ୍କୁ ବିରୋଧ କରିବା ବିଜେଡି ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।

ଟିକେଟ୍ କାଟିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ସମୀର ଦଳୀୟ ନେତୃତ୍ୱଙ୍କୁ ଅନୁରୋଧ କରିଥିଲେ । ହେଲେ ଦଳ ଶୁଣିଲା ନାହିଁ ଏବଂ ନିମାପଡାରେ ପ୍ରାର୍ଥୀ ବଦଳିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି । ଯାହା ସମୀରଙ୍କ ସମର୍ଥକମାନଙ୍କୁ ହତୋତ୍ସାହିତ କରିଛି । ଆଉ ଦଳର ନିଷ୍ପତ୍ତି ସମୀରଙ୍କୁ ଶକ୍ତ ଧକ୍କା ଦେଇଛି । ତେଣୁ ସମୀର ଖୁବ୍ ଶୀଘ୍ର ବିଜେଡି ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଛନ୍ତି । ନିମାପଡାର ପ୍ରଭାବ କାକଟପୁରରେ ମଧ୍ୟ ଦେଖିବାକୁ ମିଳିପାରେ । ଏମିତି ହେଲେ ଜଗତସିଂହପୁର ଲୋକସଭା ସିଟକୁ ବିଜେଡି ହରାଇପାରେ ବୋଲି କୁହାଯାଉଛି । ସମୀରଙ୍କ ସମର୍ଥକ ଏବଂ ସମୀରଙ୍କ ଏମିତି ଆଭିମୁଖ୍ୟ ବିଜେଡିକୁ ଅକଳରେ ପକାଇପାରେ ।