ହିଞ୍ଜିଳିରୁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ


ଆସ୍କା: ଆଜି ହିଞ୍ଜିଳି ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସ ଯାଇ ହିଞ୍ଜିଳି ବିଧାନସଭା ସିଟ୍ ପାଇଁ ନାମାଙ୍କନ ଭରିଛନ୍ତି । ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଗଞ୍ଜାମ ଜିଲ୍ଲା ନରସିଂହପୁର ଛକ ହେଲିପ୍ୟାଡରେ ପହଞ୍ଚିଥିଲେ ନବୀନ । ଏହା ପରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଦର୍ଶନ କରିଥିଲେ । ସେଠାରୁ ଛତ୍ରପୁର ଉପ କାର୍ଯ୍ୟାଳୟ ପହଞ୍ଚି ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ ।

ଏହି ସମୟରେ ତାଙ୍କ ସହ ଭିକେ ପାଣ୍ଡିଆନ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ ପରେ ସେଠାରୁ ହେଲିକପ୍ଟର ଯୋଗେ ସିଧାସଳଖ ଭୁୁବନେଶ୍ୱର ଫେରି ଯାଇଛନ୍ତି ।

ସୂଚନାଯୋଗ୍ୟ, ହିଞ୍ଜିଳି ହେଉଛି ନବୀନଙ୍କ ପାରମ୍ପରିକ ଆସନ । ଏଠାରୁ ତାଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ନିର୍ବାଚନ ଲଢିଥିଲେ। ନବୀନ ୨୦୦୦ ସମିହାରୁ କ୍ରମାଗତ ପାଞ୍ଚ ଥର ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି । ଆଉ ଷଷ୍ଠ ଥର ପାଇଁ ସେ ହିଞ୍ଜିଳି ମଇଦାନରେ ଓହ୍ଲାଇଛନ୍ତି । ଏହି ଆସନରେ ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହା ପରେ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।