ଭୁୁବନେଶ୍ୱର: ଓଡିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେଉଁ ନେତା ଯେ କେଉଁ ଦଳରେ ସାମିଲ ହୋଇ ପ୍ରାର୍ଥୀ ହୋଇ ଯାଉଛନ୍ତି ତାହା କଳ୍ପନା ବାହାରେ । ଆଉ ଏହାର ଅନେକ ଦୃଶ୍ୟ ୨୦୨୪ ନିର୍ବାଚନରେ ଓଡିଶାରେ ଦେଖିବାକୁ ମିଳିଛି । ଆଉ ଏବେ ଏମିତି ଏକ ଖବର ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି । ଯେଉଁ ଖବରକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା ତାହାକୁ ବଳ ଦେଇଛନ୍ତି ବରିଷ୍ଠ ନେତା ତଥା ସମ୍ବାଦ ଖବରକାଗଜର ପୂର୍ବତନ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ମଙ୍ଗଳବାର ଇଙ୍ଗିତ ଦେଇଛନ୍ତି ସୌମ୍ୟ ରଞ୍ଜନ । ଘଟଗାଁ ମା ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହାର ସୂଚନା ଦେଇଛନ୍ତି ।
ସୌମ୍ୟ କହିଛନ୍ତି ଯେ, ନିର୍ବାଚନ ଆଖି ଆଗରେ ରହିଛି । ଘଟଗାଁ ମୋର ଅଚାନକ ଯାତ୍ରା ଏବଂ ରାସ୍ତାରେ ଶୁଭ ଚିନ୍ତକ ଓ ଯୁବକଙ୍କ ଦ୍ୱାରା ସ୍ୱାଗତ କରାଯିବା ଏହା ସ୍ୱାଭାବିକ ଭାବେ ମନରେ ଅନେକ ପ୍ରଶ୍ନ ଏବଂ ସନ୍ଦେହ ସୃଷ୍ଟି କରିବ । ଏପରିକି କିଛି ଲୋକଙ୍କ ଆଶଙ୍କା ହୋଇଥିବ ଯେ, ମୁଁ ନିର୍ବାଚନ ଲଢିବାକୁ ଯାଉଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମୋତେ ଆଗାମୀ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଆସୁଛି ।
ସେ କହିଛନ୍ତି ବିଜେପି ମୋତେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛି । ଏହି ଅଞ୍ଚଳର ଲୋକେ ସର୍ବଦା ମୋତେ ଭେଟିବାକୁ ଆସିଛନ୍ତି ଏବଂ ଏଥର ନିର୍ବାଚନ ଲଢିବାକୁ ଚାପ ପକାଉଛନ୍ତି । ଏମିତି ଇଚ୍ଛା ଓ ଉତ୍ସାହ ବୋଧହୁଏ ପ୍ରଥମ ଥର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ମୁଁ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଆସିଛି ଏବଂ ଆଗକୁ ବଢିବା ପାଇଁ ମା ତାରିଣୀଙ୍କ ମାର୍ଗଦର୍ଶନ ଚାହୁଁଛି ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଉଲ୍ଲେଖନୀୟ ବିଜେପିକୁ ଆହୁରି ୭ଟି ସିଟରେ ପ୍ରାର୍ଥୀ ଦେବାକୁ ବାକି ରହିଛି । ଆଉ ସେଥିରେ ରହିଛି ଘସିପୁରା ଆସନ । ଗତ କିଛି ଦିନ ହେବ ସୌମ୍ୟଙ୍କ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପ୍ରିଲ ୧୯ ତାରିଖରେ ତାଙ୍କର ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଥିଲା ।
ଏହା ପୂର୍ବରୁ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିବା ପରେ ସୌମ୍ୟଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଉଦ୍ୟମ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୌମ୍ୟଙ୍କ ବାସଭବନରେ ଭେଟି ସୌମ୍ୟଙ୍କ ସହ ଆଲୋଚନା କରିଥିବା ମଧ୍ୟ କୁହାଯାଏ ।
ଉଲ୍ଲେଖନୀୟ ସୌମ୍ୟରଞ୍ଜନ ପଟ୍ଟନାୟକ ନୟାଗଡ ଜିଲ୍ଲାର ଖଣ୍ଡପଡାରୁ ବିଧାୟକ ଅଛନ୍ତି । ସୌମ୍ୟ କଂଗ୍ରେସ ଟିକେଟରେ ୧୯୯୬ରେ ଭୁୁବନେଶ୍ୱର ଲୋକସଭା ସିଟରୁ ନିର୍ବାଚନ ଲଢି ଜିତିଥିଲେ । ସେ କଂଗ୍ରେସର ବରିଷ୍ଠ ନେତା ଥିଲେ । ତେବେ ପରବର୍ତୀ ସମୟରେ ଦଳ ବିରୋଧୀ କାର୍ୟ୍ୟ ଯୋଗୁଁ କଂଗ୍ରେସ ଦ୍ୱାର ଦଳରୁ ବହିଷ୍କୃତ ହୋଇଥିଲେ । ଏହା ପରେ ସେ ଆମ ଓଡିଶା ପାର୍ଟି ଗଠନ କରିଥିଲେ । କିନ୍ତୁ ୨୦୧୮ ମାର୍ଚ୍ଚ ୬ରେ ଆମ ଓଡିଶା ପାର୍ଟିକୁ ବିଜେଡି ସହ ବିଲୟ କରାଇଥିଲେ । ଆଉ ବିଜେଡି ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ସୌମ୍ୟ । ପୁଣି ୨୦୧୯ ନିର୍ବାଚନରେ ଖଣ୍ଡପଡାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଗତ ବର୍ଷ ସେପ୍ଟେମ୍ବର ୨୧ ତାରିଖ ବିଜେଡିରୁ ବହିଷ୍କୃତ ହୋଇଥିଲେ ।