ଭୁୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକେ କଲବଲ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ । ତେବେ ୭ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । କାଳବୈଶାଖୀ ପ୍ରଭାବରେ ପୂରା ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଭୁୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରାମ ମହାନ୍ତି ।
ସେ କହିଛନ୍ତି ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଦୁଇ ଦିନ ପାଇଁ ଭୁୁବନେଶ୍ୱର ଓ କଟକ ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଉ କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨ ତାରିଖ ପରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। କିନ୍ତୁ ୭ ତାରିଖ ବେଳକୁ ପୂରା ରାଜ୍ୟରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।
ତେବେ ଆଜି ଏବଂ ଆସନ୍ତାକାଲି କିଛି ଜିଲ୍ଲାରେ ସିଭିୟର ହିଟୱେଭ୍ ରହିବାର ସମ୍ଭାବନା ରହିଛି । କିନ୍ତୁ ୬ ତାରିଖ ଆଡକୁ ପାଗରେ ପରିବର୍ତ୍ତନ ଆସିବ । କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ । ବର୍ଷା ଯୋଗୁଁ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଗତକାଲି ବାରିପଦାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬,୪ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ବାଲେଶ୍ୱରରେ ୪୬ ଓ ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।