ବୀରମହାରାଜପୁର: ନିର୍ବାଚନ ଆଉ କେଇଟା ଦିନ ବାକି ରହିଥିବା ବେଳେ କଂଗ୍ରେସକୁ ଲାଗିଛି ପୁଣି ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର । ସେ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହା ସହିତ ଇସ୍ତଫା ପତ୍ରରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବୀରମହାରାଜପୁରରୁ ନିର୍ବାଚନ ଲଢିବା ପାଇଁ ସେ ଆଶାୟୀ ଥିଲେ । ହେଲେ ଏଥର ତାଙ୍କୁ ଟିକେଟ୍ ମିଳି ନ ଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ।
ସେ ଇସ୍ତଫା ପତ୍ରରେ ଲେଖିଛନ୍ତି, ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ମୁଁ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କର ମନମୁଖୀ ଓ ସ୍ୱାର୍ଥପର କାମ ଯୋଗୁଁ ଏଥର ବୀରମହାରାଜପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀତ୍ୱରୁ ବଞ୍ଚିତ ହେଲି । ରାଜ୍ୟ ଓ କେନ୍ଦ୍ର ନେତୃ ମଣ୍ଡଳୀ ଯେଉଁ ନୀତି ନିର୍ଦ୍ଧାରଣ କରିଥିଲେ, ତାକୁ ଉଲ୍ଲଂଘନ କରି ଅନ୍ୟ ପ୍ରାର୍ଥୀଙ୍କୁ ଟିକଟ୍ ଦେଇ ମୋର ଏବଂ ମୋର କର୍ମୀଙ୍କ ଆଶାକୁ ନିରାଶାରେ ପରିଣତ କରିଛନ୍ତି ।
ଏଣୁ ମୋ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧ କରି ଆଜି ମୁଁ କଂଗ୍ରେସ ଦଳର ସମସ୍ତ ପଦ ପଦବୀ ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି । ଆଗରୁ ଆମ ସୋନପୁର ଜିଲ୍ଲାର ଅନେକ କଂଗ୍ରେସ ପଦାଧିକାରୀ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ମଧ୍ୟ ଅନେକ ଇସ୍ତଫା ଦେଇଛନ୍ତି ।

ଓଡିଶାରେ କାହିଁକି କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନରେ ଜିତିବା ହାରିବା ସ୍ୱାଭାବିକ କଥା । କିନ୍ତୁ ରାଜ୍ୟରେ କଂଗ୍ରେସ ନିଜର ଅମାନତ ମଧ୍ୟ ହରାଇ ଚାଲିଛି । ଦଳର ଏମିତି ଶୋଚନୀୟ ସ୍ଥିତିର କାରଣ ତୃଣମୂଳସ୍ତରରେ କାମ କରିଥିବା ନେତାଙ୍କୁ ଅବହେଳା । ଏହି କାରଣରୁ ୨୦୨୪ ନିର୍ବାଚନରେ ବହୁ କଂଗ୍ରେସ ନେତା ଦଳ ଛାଡି ବିଜେଡି କିମ୍ବା ବିଜେପିରେ ସାମିଲ ହୋଇଛନ୍ତି । ଆଉ କଂଗ୍ରେସର ଏମିତି ମନମୁଖୀ କାର୍ଯ୍ୟ ପାଇଁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁରର ଟାଣୁଆ ନେତା ବିନୋଦ ପାତ୍ର ।
ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ସୋନପୁରର ବିଧାୟକ ଥିଲେ ବିନୋଦ ପାତ୍ର । ୨୦୧୯ ନିର୍ବାଚନରେ ବୀରମହାରାଜପୁରରୁ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ସେ ନିର୍ବାଚନ ହାରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରାଙ୍କୁ କଡା ଟକ୍କର ଦେଇଥିଲେ । ସେ ୪୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ରାଜ୍ୟରେ ଏମିତି ଅନେକ ଆସନ ରହିଛି ଯେଉଁଠି କଂଗ୍ରେସ ପ୍ରାର୍ଥୀମାନେ ୫ ହଜାର ଭୋଟ୍ ପାଇବା ମୁସ୍କିଲ ଏବଂ ନିଜର ଅମାନତ ହରାଉଛନ୍ତି ସେଠି ବିନୋଦ ପାତ୍ର ୪୦ ହଜାର ଭୋଟ ପାଇବାରେ ସକ୍ଷମ ହୋଇଥିଲେ । ସେ ଦିନ ରାତି କାମ କରି ବୀରମହାରାଜପୁରରେ ନିଜର ସଂଗଠନ ମଜବୁତ କରିଥିଲେ । କର୍ମୀ ଓ ଜିଲ୍ଲାର ନେତାଙ୍କୁ ଏକଜୁଟ କରି ବିଜେଡିକୁ କଡା ଟକ୍କର ଦେଇ ପାରୁଥିଲେ । କିନ୍ତୁ ତାଙ୍କୁ ଏଥର ନିରାଶ ହେବାକୁ ପଡିଛି ।
ତୃଣମୂଳସ୍ତରରେ ଯିଏ କାମ କରୁଛି, ଯାହାଙ୍କର ନିଜସ୍ୱ ଅଞ୍ଚଳରେ ଭୋଟ୍ ବ୍ୟାଙ୍କ ରହିଛି, ସେହି ନେତାଙ୍କୁ କଂଗ୍ରେସ ଅଣଦେଖା କରି ଅନ୍ୟଙ୍କୁ ଟିକେଟ୍ ଦେବାର ବହୁତ ଉଦାହରଣ ରହିଛି । ଆଉ କଂଗ୍ରେସର ଏମିତି ଅଦୂର ପରିଣାମଦର୍ଶୀ ନୀତିରେ ବଳି ପଡିଛନ୍ତି ବୀରମହାରାଜପୁରର ଟାଣୁଆ ନେତା ବିନୋଦ ପାତ୍ର । ଶେଷ ନିରାଶ ହୋଇ କଂଗ୍ରେସ ଛାଡିଛନ୍ତି ବିନୋଦ । ଆଉ କଂଗ୍ରେସକୁ ଏହା କେତେ ମହଙ୍ଗା ପଡିବ ତାହା ଜୁନ ୪ ତାରିଖ ଭୋଟ୍ ଗଣତି ଦିନ ଜଣା ପଡିବ ।