Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରୁ ନାମାଙ୍କନ ପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜି: ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ଦୁଇଟି ଆସନରେ ନିର୍ବାଚନ ଲଢୁଛନ୍ତି ନବୀନ ପଟ୍ଟନାୟକ । ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନବୀନ ନାମାଙ୍କନ ଦାଖଲ କରିଛନ୍ତି ।

ଟିଟିଲାଗଡ଼ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଯାଇଥିଲେ। ଏହାପରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ଭି.କେ. ପାଣ୍ଡିଆନ, ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁ, ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହ ଦେଓ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱର ଫେରିଛନ୍ତି।

ଏହା ପୂର୍ବରୁ ଏପ୍ରିଲ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଥିଲେ । ଆଉ ଆଜି କଣ୍ଟାବାଞ୍ଜିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ । ଏହି ଆସନରେ ମେ ୨୦ ତାରିଖରେ ନିର୍ବାଚନ ହେବ । ପଶ୍ଚିମ ଓଡିଶାରେ ବିଜେଡିର ଭୋଟହାର ବଢାଇବା ଏବଂ ଅଧିକ ସିଟ ଜିତିବା ଲକ୍ଷ୍ୟରେ ଗତ ଥର ପରି ଏଥର ମଧ୍ୟ ନବୀନ ପଶ୍ଚିମ ଓଡିଶାର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି ।

୨୦୧୯ ନିର୍ବାଚନରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ବରଗଡର ବିଜେପୁର ସିଟରୁ ନିର୍ବାଚନ ଲଢିଥିଲେ । ତେବେ ଉଭୟ ସିଟରୁ ଜିତିବା ପରେ ବିଜେପୁର ଛାଡି ହିଞ୍ଜିଳିକୁ ନିଜ ପାଖରେ ରଖିଥିଲେ । ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ବିଜେଡିକୁ ବିଜେପି ପକ୍ଷରୁ ବଡ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବ ଓଡିଶା ତୁଳନାରେ ପଶ୍ଚିମ ଓଡିଶାରେ ଦଳର ଜନାଧାର କମ ରହିଛି । ତେଣୁ ପଶ୍ଚିମ ଓଡିଶାରେ ଦଳର ସ୍ଥିତିକୁ ସୁଦୃଢ କରିବା ଏବଂ ଅଧିକ ସିଟ୍ ହାତେଇବା ପାଇଁ ନବୀନ ଏଥର ବଲାଙ୍ଗିର ଜିଲ୍ଲାର କଂଟାବାଞ୍ଜି ସିଟରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ।

ଏହି ସିଟ୍ ହେଉଛି କଂଗ୍ରେସର ଗଡ । ବର୍ତମାନ ଏଠାରେ ବିଧାୟକ ଅଛନ୍ତି କଂଗ୍ରେସର ସନ୍ତୋଷ ସିଂ ସାଲୁଜା । ୨୦୧୪ରେ ପ୍ରଥମ ଥର ବିଜେଡି ଏଠାରୁ ଜିତିବାରେ ସକ୍ଷମ ହୋଇଥିଲା । ତେଣୁ ନବୀନଙ୍କୁ ଲଢାଇ ପଶ୍ଚିମ ଓଡିଶାରେ ଭୋଟ୍ ସାଉଁଟିବା ପାଇଁ ବିଜେଡି ଯୋଜନା ରଖିଛି ।

ତେବେ କଂଟାବାଞ୍ଜି ନବୀନଙ୍କ ପାଇଁ କେତେ ସୁରକ୍ଷିତ ରହିବ ତାହା ସମୟ କହିବ । କିନ୍ତୁ ଏଠାରେ ସନ୍ତୋଷ ସିଂ ସାଲୁଜାଙ୍କ ଲୋକପ୍ରିୟତା ରହିବା ସହ କଂଗ୍ରେସର ସଂଗଠନ ବେଶ ମଜବୁତ ରହିଛି । ୧୯୭୭ ପରଠୁ ଏହା କଂଗ୍ରେସର ଗଡ ଭାବେ ରହି ଆସିଛି । କେବଳ ୧୯୯୦, ୨୦୦୪ ଓ ୨୦୧୪ ଏହି ତିନି ନିର୍ବାଚନକୁ ବାଦ ବାକି ସବୁ ନିର୍ବାଚନରେ ଏହି ସିଟରେ କଂଗ୍ରେସ ପ୍ରାର୍ଥୀ ଜିତି ଆସିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ