ଗାନ୍ଧୀ ପରିବାରର ଜଣେ ସଦସ୍ୟ ହିଁ ଲଢିବ ଲୋକସଭା ନିର୍ବାଚନ, ପ୍ରିୟଙ୍କା ରେସରୁ ବାହାର; ଚର୍ଚ୍ଚାରେ ରାହୁଲଙ୍କ ନାଁ


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାର ମତଦାନ ସଂପନ୍ନ ହୋଇ ସାରିଛି । ପଞ୍ଚମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମେ ୩ ରହିଛି । ହେଲେ ଏ ପର୍ଯ୍ୟନ୍ତ କଂଗ୍ରେସ ପାର୍ଟି ଆମେଠି ଓ ରାୟବରେଲି ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ସୂତ୍ର ମୁତାବକ ଆଜି ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ । କଂଗ୍ରେସ କାର୍ଯ୍ୟକାରୀ କମିଟି ଏହି କାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଏହି ଦୁଇଟି ଆସନରେ ମେ ୨୦ ତାରିଖରେ ମତଦାନ ହେବାର ଅଛି ।

ଖବର ଅନୁଯାୟୀ, ଗାନ୍ଧୀ ପରିବାରର ଜଣେ ବ୍ୟକ୍ତି ହିଁ ଏଥର ଲୋକସଭା ନିର୍ବାଚନ ଲଢିବେ । ରାୟବରେଲି ସିଟ୍ ଛାଡି ସୋନିଆ ଗାନ୍ଧୀ ରାଜ୍ୟସଭା ଦେଇ ସଂସଦରେ ପହଞ୍ଚି ସାରିଛନ୍ତି । ତାଙ୍କ ସିଟକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ ଖୁ୍‌ବ୍ ଚର୍ଚ୍ଚା ଲାଗି ରହିଛି । ହେଲେ ପ୍ରିୟଙ୍କା ନିଜେ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ସେ କେବଳ ନିର୍ବାଚନ ପ୍ରଚାର କରିବାକୁ ଚାହୁଁଥିବା କହିଛନ୍ତି ପ୍ରିୟଙ୍କା । କିନ୍ତୁ ସୂତ୍ର ଏହା ମଧ୍ୟ କହୁଛି ଯେ, ପ୍ରିୟଙ୍କା ରାୟବରେଲିରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କଂଗ୍ରେସ ବିରୋଧରେ ବଂଶବାଦ ରାଜନୀତିର ପ୍ରସଙ୍ଗ ଉଠାଇବାକୁ ଦୃଷ୍ଟିରେ ରଖି ରାହୁଲ ଏହି ବିଚାର ପକ୍ଷରେ ନାହାନ୍ତି । ସେ ଚାହାନ୍ତି ନାହିଁ ଯେ, ଗାନ୍ଧୀ ପରିବାରର ତିନି ଜଣ ସଦସ୍ୟ ସାଂସଦ ହୁଅନ୍ତୁ ।

ଆମେଠି ଓ ରାୟବରେଲି ଗାନ୍ଧୀ-ନେହେରୁ ପରିବାରର ପାମ୍ପରିକ ସିଟ୍ । କାରଣ ଏହି ପରିବାରର ସଦସ୍ୟ ଅନେକ ଦଶନ୍ଧି ଧରି ଏହି ଆସନରୁ ପ୍ରତିନିଧିତ୍ୱ କରି ଆସିଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କ ରାୟବରେଲିରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି । ମାତ୍ର ଏହି ବିଷୟରେ ଗାନ୍ଧୀ ପରିବାର ଦ୍ୱାରା ଚୂଡାନ୍ତ ନିଷ୍ପତ୍ତି ନିଆଯିବା ବାକି ରହିଛି । ଏହି ଦୁଇଟି ସିଟରେ ପ୍ରାର୍ଥୀ ଚୟନ ନେଇ ବୁଧବାର ଏକ ବୈଠକ ବସିଥିଲେ ହେଁ କୌଣସି ନିଷ୍କର୍ସ ବାହାରି ପାରିନି ।