Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡିକୁ ପୁଣି ଝଟକା, ଶତାଧିକ ସମର୍ଥକଙ୍କ ସହ ଦଳ ଛାଡିଲେ ସୁକାନ୍ତ ଖଟୁଆ

ଭୁବନେଶ୍ୱର: ବିଜେଡି ଆଜି ତାର ଅବଶିଷ୍ଟ ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହାର ଘୋଷଣା ପରେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଟିକେଟ୍ ନ ମିଳିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ଉପ ସଭାପତି ସନ୍ତୋଷ ଖଟୁଆ । ସେ ନିଜର ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସନ୍ତୋଷ ଖଟୁଆ ବାଲେଶ୍ୱର ଜିଲ୍ଲା ନୀଳଗିରି ସିଟରୁ ଆଶାୟୀ ଥିଲେ ।

ଟିକେଟ୍ ନ ମିଳିବାରୁ ସନ୍ତୋଷ ନିଜର ଅସନ୍ତୋଷ ବ୍ୟକ୍ତ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସନ୍ତୋଷ ଖୁବ୍ ଶୀଘ୍ର ବିଜେପିରେ ମିଶି ନୀଗଳିରିରୁ ନିର୍ବାନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବିଜେପି ଗୁରୁବାର ଅବଶିଷ୍ଟ ୬ଟି ସିଟରେ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଏ ଯାଏଁ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିନି । ତେଣୁ ଖଟୁଆଙ୍କ ବିଜେପିରେ ମିଶି ବିଧାୟକ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ବିଧାୟକ ସୁକାନ୍ତ କୁମାର ନାୟକଙ୍କଠାରୁ ସେ ୧୫୭୭ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ। ନିର୍ବାଚନରେ ହାରିଥିଲେ ହେଁ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଥିଲେ। ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାୟୀ ଥିଲେ। ହେଲେ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଶ୍ରୀ ଖଟୁଆଙ୍କ ସବୁ ଆଶା ମଉଳି ଯାଇଥିଲା । ଆଉ ବିଜେପି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ, ଖଣ୍ଡପଡ଼ାରୁ ଟିକେଟ ନମିଳିବାରୁ ଅନୁଭବ ପଟ୍ଟନାୟକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆଗାମୀ ରଣନୀତି ନେଇ ସେ ମୁହଁ ଖୋଲିନ ଥିଲେ ହେଁ ଖଣ୍ଡପଡ଼ାରୁ ସ୍ଵାଧୀନ ଭାବେ ନିର୍ବାଚନ ଲଢି ପାରନ୍ତି। ୨୦୧୪ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ ଅନୁଭବ ପଟ୍ଟନାୟକ। ହେଲେ ୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲା। ତାଙ୍କ ସ୍ଥାନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଏହା ସତ୍ୱେ ଅନୁଭବ ଦଳରେ ଥିଲେ ଓ ସଙ୍ଗଠନକୁ ସମ୍ଭାଳି ଥିଲେ।

ତାଙ୍କ ନେତୃତ୍ଵରେ ବିଜେଡି ଗତ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ତାଙ୍କୁ ଏହାର ଶ୍ରେୟ ମଧ୍ୟ ମିଳିଥିଲା। ତେଣୁ ଏଥର ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିବ ବୋଲି ନିଶ୍ଚିତ ଥିଲେ ଅନୁଭବ। ହେଲେ ଶେଷରେ ନିରାଶ ହେବାକୁ ପଡିଛି। ତାଙ୍କ ବଦଳରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇଛି। ଶେଷରେ ମର୍ମାହତ ହୋଇ ଆଜି ବିଜେଡି ଛାଡିଛନ୍ତି ଅନୁଭବ ପଟ୍ଟନାୟକ।