ସବୁ କଳ୍ପନା ଜଳ୍ପନାର ଅବସାନ, ରାୟବରେଲିରୁ ଲଢିବେ ରାହୁଲ; ଆମେଠିରୁ କେଏଲ ଶର୍ମା


ନୂଆଦିଲ୍ଲୀ: ରାୟବରେଲି ଓ ଆମେଠିରୁ ନିର୍ବାଚନ କିଏ ଲଢିବ ତାକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛି କଂଗ୍ରେଶ । ଦଳ ଏହି ଦୁଇଟି ଚର୍ଚ୍ଚିତ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ଆମେଠି ବଦଳରେ ରାୟବରେଲିରୁ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ଆମେଠିରୁ ଗାନ୍ଧୀ ପରିବାରର ଘନିଷ୍ଠ କେଏଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଯାଇଛି । ଏହି ଦୁଇଟି ଆସନ ହେଉଛି ଗାନ୍ଧୀ-ନେହେରୁ ପରିବାରରଙ୍କ ପରମ୍ପରାଗତ ଆସନ । ମାତ୍ର ୨୦୧୯ରେ ଆମେଠିରୁ ରାହୁଲ ଗାନ୍ଧୀ ବିଜେପିର ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କଠୁ ପରାଜିତ ହୋଇଥିଲ । ଏଥର ପ୍ରିୟଙ୍କା ଗାନ୍ଧୀ ଲୋକସଭା ନିର୍ବାଚନ ଲଢିବା ନେଇ ମଧ୍ୟ ଆଶା କରାଯାଉଥିଲା । କିନ୍ତୁ ପ୍ରିୟଙ୍କା ମଇଦାନକୁ ଓହ୍ଲାଉ ନାହାନ୍ତି ।

ପ୍ରାୟ ୨୫ ବର୍ଷ ପରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଆମେଠିରୁ ନିର୍ବାଚନ ଲଢୁ ନାହାନ୍ତି । କଂଗ୍ରେସ ଅଧ୍ୟକ୍ଷା ହେବା ପରେ ସୋନିଆ ଗାନ୍ଧୀ ୧୯୯୯ରେ ଏଠାରୁ ନିର୍ବାଚନ ଲଢିଥିଲେ । ୨୦୦୪ରେ ସେ ରାୟବରେଲିରୁ ଲଢିଲେ ଏବଂ ରାହୁଲ ଗାନ୍ଧୀ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରାହୁଲ ୨୦୦୪, ୨୦୦୯ ଏବଂ ୨୦୧୪ କ୍ରମାଗତ ତିନି ଥର ଆମେଠିରୁ ଜିତି ଆସିଥିଲେ । ତେବେ ୨୦୧୯ରେ ପରାଜୟ ପରେ କଂଗ୍ରେସର କହିବା କଥା ଆମେଠି ଏବେ ଆଉ ପରିବାରର ସିଟ୍ ହୋଇ ରହି ନାହିଁ ।

ଆରମ୍ଭରୁ କୁହାଯାଉଥିଲା ଯେ, ରାହୁଲ ଓ ପ୍ରିୟଙ୍କା ଉଭୟ ସିଟରୁ ନିର୍ବାଚନ ଲଢିବା ପାଇଁ ଅନିଚ୍ଛୁକ ଥିଲେ । ରାହୁଲଙ୍କ ତର୍କ ଏହା ଥିଲା ଯେ, ଯଦି କେରଳରୁ ସେ ବିଜୟଲାଭ କରନ୍ତି ଏବଂ ରାୟବରେଲିରୁ ଜିତି ଯାଆନ୍ତି ତେବେ ୱାଏନାଡ ଛାଡି ପାରିବେ ନାହିଁ । ଏହାର କାରଣ ଏହାର ପ୍ରଭାବ କେରଳରେ ୨୦୨୬ ବିଧାନସଭା ନିର୍ବାଚନରେ କଂଗ୍ରେସର ସମ୍ଭାବନା ଉପରେ ପଡିପାରେ ।