ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରାୟଗଡା ଗସ୍ତ ବାତିଲ । ଏ ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶର ରାୟବରେଲିରୁ ପ୍ରାର୍ଥୀ କରିଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ । ତେଣୁ ରାହୁଲ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି କାରଣରୁ ରାହୁଲ ରାୟଗଡା ଆସିବେ ନାହିଁ ବୋଲି ଜଣା ପଡିଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ରାହୁଲ ମଧ୍ୟାହ୍ନ ୧୨ଟାରେ ହେଲିକପ୍ଟର ଯୋଗେ ରାୟଗଡା ଆସିବାର କାର୍ଯ୍ୟକ୍ରମ ଥିଲା । ଏଠାରେ ସ୍ଥାନୀୟ ଜିଆଇଏସି।।ର କଲେଜ ସମ୍ମୁଖ ପଡିଆରେ ଆୟୋଜିତ ବିରାଟ ସମାବେଶକୁ ସମ୍ବୋଥିର କରିବାର ଥିଲା । ତେବେ ରାୟବରେଲିରୁ ପ୍ରାର୍ଥୀ ଘୋଷଣା ପରେ ରାହୁଲଙ୍କ ରାୟଗଡା ଗସ୍ତ ବାତିଲ ହେବା ସହ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି ।
ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧୀ କଟକ ଜିଲ୍ଲାର ସାଲେପୁରରେ ନିର୍ବାଚନୀ ସଭା କରି ଓଡିଶାରେ କଂଗ୍ରେସ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଥିଲେ । ସେ ମଞ୍ଚ ଉପରୁ ଉଭୟ ବିଜେପି ଓ ବିଜେଡି ସରକାରକୁ ଶାଣିତ ସ୍ୱରରେ ସମାଲୋଚନା କରିଥିଲେ । ଏପରିକି ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ରାହୁଲ । ତାଙ୍କ ଗସ୍ତ ପରେ କଂଗ୍ରେସ ଶିବିିରରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ବିଜେଡି ଓ ବିଜେପି ପରି କଂଗ୍ରେସ ମଧ୍ୟ ଦକ୍ଷିଣ ଓଡିଶାର ସଂସଦୀୟ କ୍ଷେତ୍ର ଉପରେ ଫୋକସ କରିଛି । ତେଣୁ ଏଠାରେ ମାରାଥନ ପ୍ରଚାର କରିବାକୁ ଦଳ ଯୋଜନା କରିଛି । ଏହି କ୍ରମରେ ଆଜି ରାହୁଲ ରାୟଗଡା ଆସିଥାନ୍ତେ । ଅନ୍ୟପଟେ ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ମାରାଥନ ପ୍ରଚାର କରିବେ । ସେପଟେ ବିଜେଡି ଦକ୍ଷିଣ ଓଡିଶାର ୪ ସଂସଦୀୟ କ୍ଷେତ୍ରରେ ଡେରା ପକାଇଛି ।