ମାହାଙ୍ଗାରେ ବିଜେପି କଳି, ଟିକେଟ୍ ନ ମିଳିବାରୁ ସ୍ୱାଧୀନ ଲଢିବେ ସାରଦା ପ୍ରଧାନ


ଭୁୁବନେଶ୍ୱର: ବିଜେଡି ପରି ବିଜେପିରେ ମଧ୍ୟ ଟିକେଟ୍ ନ ମିଳିବାରୁ ଆଶାୟୀ ପ୍ରାର୍ଥୀ ବିଦ୍ରୋହ କରୁଛନ୍ତି । ମାହାଙ୍ଗାର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ବିଶାଳ ଜନସମାବେଶ କରି ସେ ଏହାର ଘୋଷଣା କରିଛନ୍ତି । ମାହାଙ୍ଗାରୁ ବିଜେପି ସୁମନ୍ତ କୁମାର ଘଡେଇଙ୍କୁ ପ୍ରାର୍ଥୀ କରିଛି । ଏହା ପରେ ମାହାଙ୍ଗାରେ ବିଜେପି କଳି ବଢି ଯାଇଛି ।

୨୦୧୯ ନିର୍ବାଚନରେ ବିଜେପି ସାରଦା ପ୍ରସାଦ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । ସେ ବିଜେଡି ନେତା ପ୍ରତାପ ଜେନାଙ୍କଠୁ ପାଖାପାଖି ୩୦ ହଜାର ଭୋଟରେ ପରାସ୍ତ ହୋଇଥିଲେ । ତଥାପି ସେ ନିଜ ଅଞ୍ଚଳରେ ସଂଗଠନ ମଜବୁତ କରୁଥିଲେ । ଏଥର ତାଙ୍କୁ ଟିକେଟ୍ ମିଳିବ ବୋଲି ସେ ଆଶାୟୀ ଥିଲେ । ହେଲେ ବିଜେପି ତାଙ୍କ ବଦଳରେ ସୁମନ୍ତ କୁମାର ଘଡେଇଙ୍କୁ ପ୍ରାର୍ଥୀ କରିଛି । ଟିକେଟ୍ କଟିବା ପରେ ସାରଦା କ୍ଷୋଭ ପ୍ରକାଶ କରିବା ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।

ଟିକେଟ୍ କଟିବା ପରେ ସାରଦା ବିଭିନ୍ନ ପଞ୍ଚାୟତରେ ସଭା କରି ନିଜ ସପକ୍ଷରେ ମସର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମାହାଙ୍ଗା ଜନ ସାଧାରନଙ୍କ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି । ଲୋକେ ଚାହୁଁଛନ୍ତି ମୁଁ ମାହାଙ୍ଗାରୁ ନିର୍ବାଚନ ଲଢେ । ତେଣୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି । ଦଳ ଯାହା କାର୍ଯ୍ୟାନୁଷ୍ଠାନ ନେବ ତାକୁ ଗ୍ରହଣ କରିବି ବୋଲି ସାରଦା ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ୟ, ସାରଦା ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ସେ ମାହାଙ୍ଗା ବିକାଶ ପରିଷର ଅଧ୍ୟକ୍ଷ ଥିଲେ । ୨୦୧୮ରେ ବିଜେପିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ୨୦୧୯ରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ମାହାଙ୍ଗା ଆସନ ବିଜେଡିର ଗଡ ପାଲଟିଛି । ୨୦୦୦ ମସିହା ନିର୍ବାଚନରୁ ଏଠାରୁ ବିଜେଡି ପ୍ରାର୍ଥୀ ଜିତି ଆସୁଛନ୍ତି । ଏହି ସିଟରୁ କ୍ରମାଗତ ୩ ଥର ଜିତିଥିବା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଚତୁର୍ଥ ଥର ମଇଦାନରେ ଅଛନ୍ତି ।