ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ରାତି ୯ଟା ୩୦ରେ ପହଞ୍ଚିବେ ଭୁୁବନେଶ୍ୱର


ଭୁୁବନେଶ୍ୱର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ସାଢେ ୯ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ସେଠାରୁ ସିଧାସଳଖ ରାଜଭବନ ଯିବେ । ସେଠାରେ କେତେକ ବରିଷ୍ଠ ନେତାଙ୍କ ସହ ରାତ୍ରଭୋଜନ କରିବା ସହ ରାତ୍ର୍ରୀଯାପନ କରିବେ । ଏହା ପରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ବ୍ରହ୍ମପୁର ଓ ନବରଙ୍ଗପୁର ଯିବେ । ପିଏମଙ୍କ ଗସ୍ତ ପାଇଁ ଭୁୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୋମବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ସାଢେ ୧୦ଟାରେ ବ୍ରହ୍ମପୁର ଯିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ପରେ ନବରଙ୍ଗପୁର ଯିବେ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରବାର କରିବେ । ନିର୍ବାଚନ ପରିପ୍ରେକ୍ଷୀରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଓଡିଶା ଗସ୍ତ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ସୁରକ୍ଷା ଦାୟିତ୍ୱରେ ୩ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ/ଏଏସଆଇଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ସିଆଇଏସଏଫ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଓଡିଶାରେ ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ଗସ୍ତ ଉପରେ ଏବେ ସଭିଙ୍କ ନଜର ରହିଛି । ଏହା ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଚଣ୍ଡିଖୋଲ ଆସିଥିଲେ ମୋଦୀ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ପ୍ରକଳ୍ପର ଶିଳାନ୍ୟାସ୍ ଓ ଉଦଘାଟନ କରିଥିଲେ । ଏହା ପରେ ଦଳ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଂଶସା କରିଥିଲେ । ତାଙ୍କର ଭାଷଣ ପରେ ହିଁ ଓଡିଶାରେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ୬ ତାରିଖ ନିଜର ଭାଷଣରେ କେବଳ ନିଜ ସରକାରର ଗୁଣଗାନ କରିବେ ନା ଶାଣିତ ସ୍ୱରରେ ବିଜେଡିକୁ ହମଲା କରିବେ ତା ଉପରେ ସଭିଙ୍କ ନଜର ରହିଛି ।