କମ୍ପିବ ପ୍ରଚାର ମଇଦାନ, ୮ରେ ରାଜନାଥ ସିଂ ଓ ୧୨ରେ ଓଡିଶା ଆସିବେ ଶାହ


ଭୁୁବନେଶ୍ୱର: ନିର୍ବାଚନ ଜିତି ଓଡିଶାରେ ସରକାର ଗଢିବାକୁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏହି ଆଧାରରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ । ସଦ୍ୟତମ ଖବର ଅନୁଯାୟୀ, ଆସନ୍ତା ୮ ତାରିଖରେ ଓଡିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୁଣି ୧୨ ତାରିଖରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

୮ ତାରିଖରେ ରାଜନାଥ ସିଂ ରାୟଗଡା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହା ପରେ ୧୨ ତାରିଖରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ଜଣେ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ଆଗମନରେ ରାଜ୍ୟ ବିଜେପି ଶିବିର ଉତ୍ସାହିତ ହୋଇ ଉଠିଛି । ଦଳ ପୁରା ଦମରେ ଏଥର ନିର୍ବାଚନ ଲଢୁଛି । ତେବେ ଶାହ ଓଡିଶାର କେଉଁ ସ୍ଥାନରେ ପ୍ରଚାର କରିବେ ତାର ସୂଚନା ମିଳିପାରି ନାହିଁ । ତେବେ ଶାହଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୧୦ରେ ଭୁୁବନେଶ୍ୱରରେ ରୋଡ ଶୋ କରିବା ସହ ୧୧ ତାରିଖରେ ବଲାଙ୍ଗୀରରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ ।

ଉଲ୍ଲେଖନୀୟ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ସାଢେ ୯ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ସୋମବାର ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ସାଢେ ୧୦ଟାରେ ବ୍ରହ୍ମପୁର ଯିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ପରେ ନବରଙ୍ଗପୁର ଯିବେ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରବାର କରିବେ ।

ବର୍ତ୍ତମାନ ଓଡିଶାରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଗତକାଲି ଭୁୁବନେଶ୍ୱରରେ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆଜି କଟକ ଏବଂ ସମ୍ବଲପୁରରେ ନିଜର କାର୍ଯ୍ୟକ୍ରମ କରିବେ । ଏହା ପୂର୍ବରୁ ଜେପି ନଡ୍ଡା ଏପ୍ରିଲ ୨୮ ତାରିଖରେ ବ୍ରହ୍ମପୁର ଆସି ହାଇଭୋଲଟେଜ ପ୍ରଚାର କରିଥିଲେ । ତାଙ୍କ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋନପୁରରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଓଡିଶାରେ ବିଜେପିର ପ୍ରଚାରର ବିଗୁଲ ଫୁଙ୍କିଥିଲେ । କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସରେ ଓଡିଶା । ଏଥର ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ସହ ବିଧାନସଭା ନିର୍ବାଚନ ଜିତିବା ପାଇଁ ଦଳ ଅଣ୍ଟା ଭିଡିଛି । ତେଣୁ କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ବିଜେଡିକୁ ଶାଣିତ ସ୍ୱରରେ ହମଲା କରୁଛନ୍ତି ।