କଂଗ୍ରେସକୁ ଝଟକା, ଦଳରୁ ଇସ୍ତଫା ଦେଲେ ରାୟଗଡା ଜିଲ୍ଲା ସଭାପତି


ରାୟଗଡା: ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ଦିନ କେଇଟା ବାକି ରହିଛି । ତଥାପି କଂଗ୍ରେସର ଦଳୀୟ କନ୍ଦଳ ଥମୁନି । ଏବେ ବି ନେତାଙ୍କ ଦଳ ଛାଡିବା ପର୍ବ ଜାରି ରହିଛି । ଏହିକ୍ରମରେ ସୋମବାର ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ ଦଳ ଛାଡିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କମିଟି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଅନ୍ୟପଟେ ତାଙ୍କୁ ଦଳରେ କ୍ରମାଗତ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଛନ୍ତି ବିଜୟ କୁମାର ଗମାଙ୍ଗ ।

ସେ କହିଛନ୍ତି ବହୁଥର ପିସିସି ଓ ଜିଲ୍ଲାସ୍ତରୀୟ ଦଳୀୟ ନେତା ତାଙ୍କୁ ଅଣଦେଖା କରୁଥିଲେ । କୌଣସି କାର୍ଯ୍ୟକ୍ରମ ବିଷୟରେ ତାଙ୍କୁ ସୂଚନା ଦିଆଯାଉ ନ ଥିଲା । ଏହା ତାଙ୍କର ଆତ୍ମ ସମ୍ମାନକୁ ବହୁତ ବାଧିଥିଲା । ତେଣୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ଇସ୍ତଫା ପତ୍ର ପିସିସି ସଭାପତି ଏବଂ ରାଜ୍ୟ ପର୍ଯ୍ୟବେକ୍ଷକ ନିକଟକୁ ପଠାଇ ଦେଇଛନ୍ତି ।

ଏହା ପୂର୍ବରୁ ପ୍ରାର୍ଥୀ ଘୋଷଣା ପରେ ଅସନ୍ତୁଷ୍ଟ ଯୁବ କଂଗ୍ରେସ ବ୍ଲକ ସଭାପତି, ଏସଟି ମୋର୍ଚ୍ଚା, ଏସସି ମୋର୍ଚ୍ଚା ସଭାପତି, ଯୁବ କଂଗ୍ରେସ ରାଜ୍ୟ ମୁଖପାତ୍ର ଆଦି ଦଳରୁ ଇସ୍ତଫା ଦେଇ ସାରିଛନ୍ତି । ମତଦାନକୁ ଆଉ କେଇଟା ଦିନ ଥିବା ବେଳେ ଜିଲ୍ଲା ସଭାପତି ଦଳ ଛାଡିବା ରାୟଗଡା କଂଗ୍ରେସକୁ ସମସ୍ୟାରେ ପକାଇପାରେ ।