୨୫ ବର୍ଷ ରହିବି ସମସ୍ୟା ଦୂର କରି ପାରିଲନି, ବହୁତ ହୋଇଗଲା, ଏଥର ଓଡିଶାରୁ ବିଜେଡି ଯିବ: ମୋଦୀ


ନବରଙ୍ଗପୁର: ବ୍ରହ୍ମପୁର ପରେ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନସେବାକୁ ସମ୍ବୋଧିତ କରି ବିଜେଡିକୁ ହମଲା କରିଛନ୍ତି । ସେ କହିଛନ୍ତି, ଏଠାକାର ବିକାଶ କରି ମୁଁ ଆପଣଙ୍କ ଆଶୀର୍ବାଦ ଫେରସ୍ତ କରିବି । ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଯେ, ଏଥର ରାଜ୍ୟରୁ ବିଜେଡି ସରକାର ହଟିବ ଏବଂ ବିଜେପି ସରକାର ଆସିବ । ଓଡିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର । ଓଡିଶାର ପୁଅ କିମ୍ବା ଝିଅ ହେବେ ଏଠାକାର ମୁଖ୍ୟମନ୍ତ୍ରୀ । କୌଣସି ବାହାର ଲୋକ ହେବେନି ଏଠାକାର ମୁଖ୍ୟମନ୍ତ୍ରୀ ।

ମୋଦୀ କହିଛନ୍ତି, ଓଡିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ ସେ ହେବ ମୁଖ୍ୟମନ୍ତ୍ରୀ । ଓଡିଶା ଲୋକଙ୍କୁ ଜାଣି ପାରୁଥିବ । ବୁଝି ପାରୁଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ । ଓଡିଶାରେ ଏବଂ ଦିଲ୍ଲୀରେ ହେବ ଡବଲ ଇଞ୍ଜିନ ସରକାର । ଡବଲ ଇଞ୍ଜିନ ସରକାର ଓଡିଶା ବିକାଶକୁ ନୂଆ ଗତି ଦେବ । ଆଉ ସମସ୍ତ ୨୧ ଲୋକସଭା ସିଟରେ ବିଜେପି ବିଜୟୀ ହେବ । ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡିଶାକୁ ନୂଆ ଶକ୍ତି, ନୂଆ ନେତୃତ୍ୱ ମିଳିବ । ଜୁନ ୪ରେ ରାଜ୍ୟରେ ବିଜେପି ସରକାରର ଏକ୍ସପାଏରୀ ଡେଟ । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଆୟୋଜିତ ହେବ । ବିଜେପି ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଉଛି ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କିଛି ଲୋକ ରାମମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିଲେ । ଆପଣମାନେ ସେମିତି କରିବେନି, ନିଶ୍ଚିତ ଯିବେ ବୋଲି ମୋର ବିଶ୍ୱାସ ।

ସେ ଏହା ମଧ୍ୟ କହିଛନ୍ତି ମୋଦୀଙ୍କ ଯୋଜନାକୁ ବିଜେଡି ସରକାର ଲାଗୁ କରୁନି । ଯାହା ଲାଗୁଛନ୍ତି ସେଥିରେ ନିଜର ଷ୍ଟାମ୍ପ ପିଟି ଦେଉଛନ୍ତି । ଆପଣମାନେ ଗାଁ ଗାଁକୁ ଯାଇ ଗ୍ୟାରେଣ୍ଟି ଦିଅନ୍ତୁ । ଏହାପରେ ଆଉ ବିଜେଡିର ଗଡବଡି ଚାଲି ପାରିବନି ବୋଲି କୁହନ୍ତୁ । ଓଡିଶାରେ ବିଜେପି ସରକାର ହେବ ଏବଂ ସବୁ ସୁବିଧା ମିଳିବ । ଛତିଶଗଡରେ ବିଜେପି ସରକାର ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେଉଛନ୍ତି । ଏଠାରେ ୨୧୦୦ ଟଙ୍କାରେ ଧାନ କିଣାଯାଉଛି । ବିଜେପି ସରକାର ଆସିଲେ ଧାନ ଚାଷୀଙ୍କଠୁ ୩୧୦୦ ଟଙ୍କାରେ କିଣାଯିବ । ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ ଅସୁବିଧା ଦୂର କରି ପାରିନି । ଯିଏ ଆପଣଙ୍କ ପାଇଁ କିଛି କରିନି ସେ କାହିଁକି ରହିବ । ମୋଦୀର ଗ୍ୟାରେଣ୍ଟି ୫ ବର୍ଷରେ ଓଡିଶାକୁ ଏକ ନମ୍ବର କରିବୁ । ଓଡିଶାରେ ବିକାଶ ନିଶ୍ଚିତ ଭାବେ ହେବ । ଏହା ମୋଦୀର ଗ୍ୟାରେଣ୍ଟି ।

ମୋଦୀ କହିଛନ୍ତି, ବିରୋଧୀଙ୍କ ଗାଳି ଖାଇଲେ ବି ମୁଁ ଆପଣଙ୍କ ପାଇଁ କାମ କରିବି । ଗରିବଙ୍କ ପଇସା କେହି ଲୁଟି ପାରିବେନି, ତାହା ସିଧା ଖାତାକୁ ଯିବ । ମୋଦୀ ଜଗନ୍ନାଥ କ୍ଷେତ୍ରକୁ ଭବ୍ୟ ବନାଇବ ଏହା ମୋର ଗ୍ୟାରେଣ୍ଟି । ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲି । ବିଶ୍ୱର ସବୁଠୁ ବଡ ନେତାଙ୍କୁ ଦେଖାଇଥିଲି । ଏହା ଓଡିଶାର ଐତିହ୍ୟ ବୋଲି କହିଥିଲି । ସମସ୍ତେ ଫଟୋ ଉଠାଉଥିଲେ । ଏବେ ସବୁ ବଡ ନେତାଙ୍କ ଘରେ କୋଣାର୍କ ଫଟୋ ।