ସମ୍ବିଧାନ ବଦଳାଇବା ପାଇଁ ଦେଉଛନ୍ତି ୪୦୦ ସିଟର ନାରା, ହେଲେ ୧୫୦ ସିଟ୍ ବି ମିଳିବନି, ବିଜେପି ଉପରେ ବର୍ଷିଲେ ରାହୁଲ


ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କହିଛନ୍ତି ଯଦି ବିଜେପି ନିର୍ବାଚନ ଜିତେ ତେବେ ଦେଶର ସମ୍ବିଧାନ ବଦଳାଇ ଦେବ । ମଧ୍ୟ ପ୍ରଦେଶର ରତଲାମରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ବିଜେପି ନେତା ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯଦି ସେମାନେ ନିର୍ବାଚନ ଜିତିବେ ତେବେ ସମ୍ବିଧାନକୁ ବଦଳାଇ ଦେବେ । ଏଥିପାଇଁ ବିଜେପି ୪୦୦ ସିଟର ନାରା ଦେଉଛି । ରାହୁଲ ଦାବି କରିଛନ୍ତି ଯେ, ବିଜେପି-ଏନଡିଏକୁ ୧୫୦ ସିଟ୍ ବି ମିଳିବ ନାହିଁ ।

ଋାହୁଲ କହିଛନ୍ତି, ଏହି ନିର୍ବାଚନ ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇ ରଖିବାର ନିର୍ବାଚନ । ଗୋଟିଏ ପଟେ ନରେନ୍ଦ୍ର ମୋଦୀ ଓ ଆରଏସଏସ, ଯିଏ ସମ୍ବିଧାନକୁ ସମାପ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ କଂଗ୍ରେସ ପାର୍ଟି ଓ ମେଣ୍ଟ ଯିଏ ସମ୍ବିଧାନକୁ ବଞ୍ଚାଇବାକୁ ନିଜର ଚେଷ୍ଟା ଜାରି ରଖିଛନ୍ତି । ବିଜେପିର ଲୋକେ ସମ୍ବିଧାନକୁ ଶେଷ କରି ଗରିବ, ଦଳିତ, ଆଦିବାସୀ, ପଛୁଆ ବର୍ଗଙ୍କଠୁ ସଂରକ୍ଷଣ ଛଡାଇ ନେବାକୁ ଚାହାନ୍ତି । ମାତ୍ର ଆମେ ସଂରକ୍ଷଣକୁ ସମାପ୍ତ ହେବାକୁ ଦେବୁନି । ଆମେ ସଂରକ୍ଷଣ ଉପରେ ଲାଗିଥିବା ୫୦ ପ୍ରତିଶତ ସୀମାକୁ ଉଚ୍ଛେଦ କରିବାକୁ ଯାଉଛୁ ।

କଂଗ୍ରେସ ନେତା କହିଛନ୍ତି, ଦେଶର ସରକାରକୁ ୯୦ ଲୋକ ଜଣାଉଛନ୍ତି । ୯୦ ଅଫିସରଙ୍କ ମଧ୍ୟରୁ ଜଣେ ବି ଆଦିବାସୀ ବର୍ଗରୁ ନାହାନ୍ତି । ପଛୁଆ ବର୍ଗର ଜନସଂଖ୍ୟା ଦେଶରେ ୫୦ ପ୍ରତିଶତ ହେବ । କିନ୍ତୁ ସେଥିରେ ଅଛନ୍ତି ମାତ୍ର ୩ ଅଫିସର । ଦଳିତ, ପଛୁଆ ଓ ଆଦିବାସୀ ସମୁଦାୟର ଲୋକଙ୍କୁ ନା ମିଡିଆରେ ଦେଖିବାକୁ ମିଳିବ ନା ହସ୍ପିଟାଲରେ ।