ଦୀର୍ଘ ୨୪ ବର୍ଷ ବିଜେଡି ସରକାରରେ ରହିବା ପରେ ବି ଓଡିଶା ଆଗେଇ ପାରିଲା ନାହିଁ : ବିଜେପି


ଭୁୁବନେଶ୍ୱର: ଏଥର ନିର୍ବାଚନ ଜିତି ରାଜ୍ୟରେ ସରକାର ଗଢିବାକୁ ଆପ୍ରାଣ ଉଦ୍ୟମ ଚଲାଇଛି ବିଜେପି । ଦଳର ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରି ସାରିଥିବା ବେଳେ ଏବେ କେନ୍ଦ୍ରୀୟ ନେତା ଘନ ଘନ ଓଡିଶା ଗସ୍ତ କରି ପ୍ରଚାରକୁ ଜୋରଦାର ଚଳାଇଛନ୍ତି । ଦୀର୍ଘ ୨୪ ବର୍ଷ ସରକାରରେ ରହିବା ପରେ ବି ରାଜ୍ୟର ମୌଳିକ ସମସ୍ୟା ବିଜେଡି ଦୂର କରି ପାରି ନ ଥିବା କହିଛି ବିଜେପି । ଓଡିଶାରେ ଓଡିଆଙ୍କ ଦ୍ୱାରା ସୁଶାସନ ନେଇ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ଜୁନ ୧୦ରେ ବିଜେପି ସରକାର ହେବ ଏବଂ ବିଜେଡି ସରକାର ଶେଷ ହେବ । ମୋଦୀ ମୋଡେଲର ସୁଶାସନ ଜୁନ ୧୦ରେ ଓଡିଶାରେ ଆରମ୍ଭ ହେବ ।

ଶାସକ ଦଳ ୧୭ ବର୍ଷ ତଳେ କହିଥିଲେ ୩୩ ପ୍ରତିଶତ ଜଳସେଚନ ହେବ । ଏ ଯାଏ ତାହା ହୋଇ ପାରିଲା ନାହିଁ । ଚାଷୀ ହନ୍ତସନ୍ତ ହେଉଥିବା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । ରାଜ୍ୟରେ ତାଙ୍କ ଦଳ ସରକାରକୁ ଆସିଲେ ସ୍ଥଗିତ ଜଳସେଚନ ପ୍ରକଳ୍ପକୁ ପୁଣି ତ୍ୱରିତ ବେଗରେ ଆଗକୁ ନିଆଯିବ । ୨୦୨୯ ସୁଦ୍ଧା ୩ ଗୁଣା ଅଧିକ ଜମିକୁ ଜଳସେଚନ କରାଯିବ । ଚାଷୀଙ୍କଠୁ ୩୧୦୦ ଟଙ୍କାରେ ଧାନ କିଣାଯିବ । ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ତାଙ୍କ ପ୍ରାପ୍ୟ ମିଳିଯିବ । ଏପରିକି ଅଣ ଉତ୍ପାଦନ ସମୟରେ ମତ୍ସ୍ୟଜୀବୀମାନଙ୍କୁ ୧୦ ହଜାର ସହାୟତା ମିଳିବ ।

ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡିଶାରେ ବହୁ ସଂଖ୍ୟାରେ ପଦବୀ ଖାଲି ପଡିଛି, ନିଯୁକ୍ତି ଦିଆଯାଇନି । ବିଜେପିର ପ୍ରତିଜ୍ଞା ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ ଦେଢ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ପ୍ରାଧ୍ୟାନ୍ୟ ଦିଆଯିବ । ଓଡିଶାରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଭିତ୍ତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହେବ । ସମ୍ବଲପୁର, ରାଉରକେଲା, ଧାମରା, ପରାଦୀପକୁ ନେଇ ଶିଳ୍ପ କରିଡର ହେବ । ଏହା ହେଲେ ଲକ୍ଷ ଲକ୍ଷ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।