ଭୁୁବନେଶ୍ୱର: ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ତାଙ୍କ ବିରୋଧରେ ବର୍ଷାଙ୍କ ପକ୍ଷରୁ ଦାୟର ନିର୍ଯାତନା ମାମଲାକୁ ଖାରଜ କରିବାକୁ ଅନୁଭବ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ସ୍ୱତନ୍ତ୍ର ଜେଏମଏଫସି କୋର୍ଟ । ଏହା ସହିତ ଚାର୍ଜ ଫ୍ରେମ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଅନୁଭବଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏହାକୁ ରଦ୍ଦ କରିବା ପାଇଁ ଅନୁଭବ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ବର୍ଷାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଅଭିନେତାଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ଯୁକ୍ତି ବାଢିଥିଲେ । ବର୍ଷା ଓକିଲ କହିଛନ୍ତି, ନିର୍ଯ୍ୟାତନା ମାମଲାରେ ଅନୁଭବଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ।
ଉଭୟଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ମାମଲାରେ ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଅନୁଭବଙ୍କ ଅଡୁଆ ବଢିଛି । ପୁଣି ଥରେ ଆଇନଗତ ଜାଲରେ ଛନ୍ଦି ହେବାକୁ ଯାଉଛନ୍ତି କେନ୍ଦ୍ରାପଡାର ସାଂସଦ । ଅନୁଭବ ସଂପ୍ରତି ବିଜେପି ଦଳର ସଦସ୍ୟ ଏବଂ ଷ୍ଟାର ପ୍ରଚାରକ । ଅନ୍ୟପଟେ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ ଯୋଗ ଦେଇ ବଡଚଣାର ବିଧାୟିକା ପ୍ରାର୍ଥୀ । ସେ ନିଜର ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି ।