ଭୁୁବନେଶ୍ୱର: ସ୍ୱାଭାବିକ ଭାବେ ଆମେ ତିଥି, ବାର, ନକ୍ଷତ୍ର, ଶୁଭ ବେଳା ଆଦି ଦେଖି ଶୁଭ କର୍ମ କରିଥାଉ । ସେ ବିବାହ, ବ୍ରତ ହେଉ କି ଗୃହ ନିର୍ମାଣ ଅବା ଗୃହ ପ୍ରବେଶ । ନୂଆ ଦୋକାନଟିଏ ଦେବା ହେଉ କି କୌଣସି ସ୍ଥାନକୁ ଯିବା ହେଉ କିମ୍ବା ନୂତନ ଗାଡି କିଣା ହେଉ ଏସବୁ କାର୍ଯ୍ୟ ସାଧାରଣତଃ ଲୋକେ ଶୁଭ ମୁହୂର୍ତ୍ତ ଦେଖି କରିଥାନ୍ତି । କିନ୍ତୁ କେବେ ଆପଣ ଶୁଣିଛନ୍ତି କି ନିର୍ବାଚନ ଟିକେଟ୍ ପ୍ରାର୍ଥୀଙ୍କ ଜାତକ ଏବଂ ବାସ୍ତୁଦୋଷ ଦେଖି ଦିଆଯାଇଛି । ହଁ ଆଜ୍ଞା ଆପଣଙ୍କୁ ଏ ଖବର ଅବିଶ୍ୱାସ କିମ୍ବା ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିମ୍ବା ଆପଣମାନେ ଭାବୁଥିବେ ଏହା ଅନ୍ୟ କୌଣସି ରାଜ୍ୟ କିମ୍ବା ଅନ୍ୟ ଦେଶର ଖବର ହୋଇଥିବ। କିନ୍ତୁ ବାସ୍ତବରେ ଏହି ଘଟଣା ଓଡିଶାରେ ଘଟିଛି । ପୁଣି ବିଜେଡି ଦଳ କ୍ଷେତ୍ରରେ ଏମିତି ହୋଇଛି ।
ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ । ଏଥର ନିର୍ବାଚନ ଜିତି ଷଷ୍ଠ ଥର ପାଇଁ ସରକାର ଗଢିବାକୁ ଉଦ୍ୟମ ଚଳାଇଛି ବିଜେଡି । ସେଥିପାଇଁ ତ ଦଳ ଏଥର ବହୁ ଭାବିଚିନ୍ତି, ବିଚାର ବିମର୍ଶ କରି ଅନେକ ପର୍ଯ୍ୟାୟରେ ଟିକେଟ୍ ଘୋଷଣା କରିଥିଲା । ଏପରିକି ଦଳ ବିଜେଡି ପକ୍ଷରୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ମଧ୍ୟ ମଗା ଯାଇଥିଲା । ଏଥିରେ ୧୦ ହଜାରରୁ ଅଧିକ ଆବେଦନ ଆସିଥିବା ଦାବି କରିଥିଲେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ତେବେ ଟିକେଟ୍ ବଣ୍ଟନ ବେଳେ ସିଂହଭାଗ ଟିକେଟ୍ ନେଇଗଲେ ପୁରୁଣା ନେତା । ଆଉ ପୁରୁଣା ନେତା ଏବଂ ବର୍ତ୍ତମାନ ବିଜେଡି ବିଧାୟକ ଥିବା ନେତାଙ୍କୁ ଏଥିପାଇଁ ଟିକେଟ୍ ମିଳିଲା କାରଣ ସେମାନଙ୍କ ଜାତକ କୁଆଡେ ଭଲ ଅଛି ଏବଂ ସେମାନେ ନିଜ ନିଜ ଆସନରେ ନିର୍ବାଚନ ଜିତିବେ ।
ଟିକେଟ୍ ଦେବା ପୂର୍ବରୁ ପ୍ରାର୍ଥୀଙ୍କୁ ନିଜର ଜାତକ, ବାସ୍ତୁଦୋଷ, ଗ୍ରହ ବେଳା ଠିକ୍ ଅଛି କି ନାହିଁ ଏସବୁ ଦେଖିବାକୁ କୁହାଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ । ଏପରିକି ବାସ୍ତୁଦୋଷ କାଟିବା ପାଇଁ ନେତାଙ୍କୁ ନିଜ ଘରର କିଛି ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଉଥିଲା । ଯେମିତି କି ପାଣି ଟାଙ୍କି । ଆଉ ନେତା ମହୋଦୟ ମଧ୍ୟ ଟିକେଟ୍ ପାଇଁ ଘରର ପାଣି ଟାଙ୍କି ସ୍ଥାନ ପରିବର୍ତ୍ତନ କରି ଦେଲେ । ଏମିତି ଅନେକ ଉଦାହରଣ ରହିଛି । ତେବେ ଏଥର ଟିକେଟ୍ ଦେବା ବେଳେ ବିଜେଡି ପ୍ରାର୍ଥୀଙ୍କ ଜାତକ, ସେମାନଙ୍କ ଗ୍ରହ ଚଳନ, ବାସ୍ତୁଦୋଷ ଆଦିକୁ ବିଶେଷ ଧ୍ୟାନରେ ରଖାଯାଇଥିଲା । ଏଥିପାଇଁ ପ୍ରାର୍ଥୀମାନେ ନିଜ ନିଜର ବିଶ୍ୱସ୍ତ ଜ୍ୟୋତିଷଙ୍କ ଶରଣକୁ ଯାଇଥିଲେ । ହାତ ଦେଖାଇ ନିଜର ବର୍ତ୍ତମାନ ସ୍ଥିତି ଏବଂ ଆଗାମୀ ଭବିଷ୍ୟତରେ ସମ୍ଭାବନା କଣ ପଚାରି ବୁଝିଥିଲେ । ଆଉ ଜ୍ୟୋତିଷବିତଙ୍କଠୁ ନିଜର ଜାତକ କାର୍ଡ ଦେଖାଇ ଟିକେଟ୍ ନେଇଥିବା ବିଶେଷ ସୂତ୍ରରୁ ପ୍ରକାଶ । ସେଥିପାଇଁ ତ ବିଶେଷ କରି ବିଭିନ୍ନ ପର୍ଯ୍ୟାୟରେ ୯ ଜଣଙ୍କୁ ଟିକେଟ୍ ଦେଉଥିଲା ବିଜେଡି ।
ଦେଖାଯାଉ ବିଜେଡି ଦଳର ଏହି ତରିକା ସେମାନଙ୍କୁ କେତେ ସଫଳ କରାଉଛି । ଦଳକୁ କେତେ ସିଟ୍ ମିଳୁଛି ଏବଂ ନିର୍ବାଚନ ବୈତରଣୀ ପାରି ହୋଇ ଷଷ୍ଠ ଥର ବିଜେଡି ସରକାର ଗଢୁଛି କି ନାହିଁ ତାହା ଜୁନ ୪ ତାରିଖରେ ଜଣା ପଡିବ । ଗତ ଥରର ନିର୍ବାଚନୀ ଚିତ୍ର ଏବଂ ଏଥର ନିର୍ବାଚନୀ ପରିଦୃଶ୍ୟରେ ବହୁତ ଅନ୍ତର ରହିଛି । ଗୋଟିଏ ପଟେ ଦୀର୍ଘ ୨୫ ବର୍ଷ ରହିବା ପରେ ସରକାର ବିରୋଧୀ ହାୱା ବହୁଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେପି ଶାସକ ଦଳକୁ ଦେଉଛି କଡା ଟକ୍କର । କୌଣସି ଆସନରେ ଶାସକ ଦଳକୁ ଇଞ୍ଚେ ଜାଗା ଛାଡିବାକୁ ନାରାଜ ବିରୋଧୀ । ତେଣୁ ୨୦୨୪ ନିର୍ବାଚନରେ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।