ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ପୁଣି ଥରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ହମଲା କରିଛି । କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅମିତ ଶାହ ଗୁରୁବାର ତେଲେଙ୍ଗାନାର ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ଏହା ସହିତ ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେପି କେତେ ସିଟ୍ ଜିତିଛି ତାର ଭବିଷ୍ୟତବାଣୀ ମଧ୍ୟ କରିଛନ୍ତି ।
ତେଲେଙ୍ଗାନାର ଭୋଙ୍ଗିରରେ ଆୟୋଜିତ ଜନସଭାରେ ଅମିତ ଶାହ କହିଛନ୍ତି ଏଥର ନିର୍ବାଚନ ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ । ଏହି ନିର୍ବାଚନ ଭୋଟ ଫର ଜିହାଦ ଏଙ୍ଗେଷ୍ଟ, ଭୋଟ୍ ଫର ବିକାଶ । ଏହି ନିର୍ବାଚନ ରାହୁଲ ଗାନ୍ଧୀଙ୍କ ଚାଇନିଜ ଗ୍ୟାରେଣ୍ଟି ବିରୋଧରେ ଏବଂ ମୋଦୀଜୀଙ୍କ ଭାରତୀୟ ଗ୍ୟାରେଣ୍ଟିର ନିର୍ବାଚନ ।
ଅମିତ ଶାହ କହିଛନ୍ତି, ତିନୋଟି ପର୍ଯ୍ୟାୟ ପରେ ବିଜେପି ୨୦୦ ସିଟ୍ ପାଖାପାଖି ପହଞ୍ଚି ଯାଇଛି । ସେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଉପରେ ଟାର୍ଗେଟ୍ କରି କହିଛନ୍ତି, ତେଲେଙ୍ଗାନାରେ ଏଥର ୧୦ରୁ ଅଧିକ ସିଟ୍ ଜିତିବାକୁ ଯାଉଛୁ ଏବଂ ମୋଦୀଙ୍କୁ ୪୦୦ ପାର କରାଇବାକୁ ଯାଉଛୁ ।
ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବଡ ଅଭିଯୋଗ ଲଗାଇଥିଲେ । ସେ କହିଥିଲେ, ଏଲନ ମସ୍କଙ୍କ କମ୍ପାନୀ ଟେସଲା ତେଲେଙ୍ଗାନାରେ ନିବେଶ କରିବାକୁ ଚାହୁଁଛି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଟେସଲାକୁ ଏଠାକୁ ଆସିବାକୁ ରୋକି ଦେଇଛନ୍ତି । ଉଭୟ ମସ୍କଙ୍କୁ ଗୁଜରାଟରେ ନିବେଶ କରିବାକୁ ଚାପ ପକାଇଥିଲେ ।