ପ୍ରଚାର ମଇଦାନରେ ଗଡ଼କରୀଙ୍କ ବଡ଼ ଘୋଷଣା, ପାରାଦୀପରେ ହେବ ଏୟାରପୋର୍ଟ; ଓଡ଼ିଶାର ବିକାଶ ପାଇଁ ଦେଲେ ବ୍ଲୁ ପ୍ରିଣ୍ଟ


ପୁରୀ: ରାଜ୍ୟରେ ନିର୍ବାଚନ ତାତି ଜୋର ଧରିଛି। ଏହି ତାତିକୁ ଆହୁରି ବଢାଇ ଦେଇଛି କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର। ଗୁରୁବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପି ପାଇଁ ପ୍ରଚାର କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହିତ ବଡ଼ ବଡ଼ ଘୋଷଣା କରିଛନ୍ତି ଗଡ଼କରୀ।

ଜନସଭାକୁ ସମ୍ବୋଧନ କରି କରି ନିତିନ ଗଡ଼କରୀ କହିଛନ୍ତି, ‘ପାରାଦୀପ ପୋର୍ଟକୁ ବିଶ୍ୱସ୍ତରୀୟ କରିବା ପାଇଁ ସାଢେ ୪ରୁ ୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ମୁଁ ସ୍ୱପ୍ନ ଦେଖାଇବା ନେତା ନୁହେଁ, ମୁଁ ଯାହା କହେ ତାହା କରିକି ଦେଖାଇଛି । ଆମେ ଯାହା କହିବୁ, ତାହା କରିବା ଆମ ପାର୍ଟିର ସିଦ୍ଧାନ୍ତ। ଏହାସହ ପୋର୍ଟ କନେକ୍ଟିଭିଟି ପାଇଁ ରତନପୁରରୁ-ଦୀଘା ୬ ଲେନ୍ ରୋଡ୍ ୮ ହଜାର କୋଟି ଟଙ୍କାର ୧୭୧ କିଲୋମିଟର ରାସ୍ତା ପାଇଁ ଡିପିଆର ପ୍ରସ୍ତୁତି ସରିଛି । ସେହିପରି ରାମେଶ୍ୱରମ-ପୁରୀ-କୋଣାର୍କ-ପାରାଦୀପ ୪ ଲେନ ସାଢେ ୮ ହଜାର କୋଟି ଟଙ୍କା ବ୍ୟୟରେ ୧୭୭ କିଲୋମିଟର ରାସ୍ତା ନିର୍ମାନ ହେବ । ଯାହାଦ୍ୱାରା ପାରାଦୀପ ଏବଂ ଧାମରା ପୋର୍ଟ ମଧ୍ୟରେ ସଂଯୋଗ ବଢିବ । ଜାମୁଝରିରୁ ଧାମରା ପୋର୍ଟ ୪ ଲେନ ବିଶିଷ୍ଟ ଗ୍ରୀନ ଫ୍ଲିଡକୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚେ ନିର୍ମାଣ କରାଯିବ । କଟକ-ପାରାଦୀପ ପୋର୍ଟ ୪ ଲେନ ପାଇଁ ୨ ହଜାର ୩୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି।

ନୀତିନି ଗଡ଼କରୀ କହିଛନ୍ତି  ପାରାଦୀରେ ବିମାନବନ୍ଦର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭୁବନେଶ୍ଵର ଓ ସମ୍ବଲପୁରରେ ରିଙ୍ଗରୋଡ ନିର୍ମାଣ କରାଯିବ।   ଓଡ଼ିଶାରେ ରାସ୍ତର ବିକାଶ ପାଇଁ ୩ ଲକ୍ଷ କୋଟି ଟଙ୍କାର କାମ କରାଯାଉଛି । ଏହି ଜନସଭାରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ୱିତ୍ ପାତ୍ର, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ଉପସ୍ଥିତ ରହିଥିଲେ ।

ଏହା ପୂର୍ବରୁ ଗଡକରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ  ଗଡ଼କରୀ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ଵରରେ ମେଗା ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି।