ଭୁବନେଶ୍ୱର: ପ୍ରଚାର ମଇଦାନରେ କମ୍ଫୁଛି ଓଡିଶା । କେନ୍ଦ୍ରୀୟ ନେତାଙ୍କ ଆଗମନରେ ପ୍ରଚାରକୁ କରୁଛି ସରଗରମ । ଗତକାଲି ପରି ଆଜି ମଧ୍ୟ ହୋଇଭୋଲଟେଜ୍ ପ୍ରଚାର । ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ଏହା ବାଦ୍ ଆଜି ଓଡିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।
କାର୍ଯ୍ୟସୂଚୀ ଅନୁଯାୟୀ, ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ।। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ । ସେହିପରି କଳାହାଣ୍ଡି ଯିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଦିନ ୧୧ଟାରେ ଧର୍ମଗଡ଼ କଲେଜ ପଡିଆ ଏବଂ ଅପରାହ୍ନ ସାଢେ ୩ଟାରେ ଜୟପାଟଣାଠାରେ ନିର୍ବାଚନ ପ୍ରଚାର କରିବେ ଭୂପେନ୍ଦ୍ର ଯାଦବ।
ତେବେ ଆଜି ସଭିଙ୍କ ନଜର ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ଉପରେ ରହିଛି । ରାମମନ୍ଦିରରୁ ବାଣୀବିହାର ଯାଏ ହେବ ବିଶାଳ ରୋଡ୍ ଶୋ । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ବନ୍ଧା ହୋଇଛି । ପ୍ରତି ମଞ୍ଚରେ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହେବ । ବ୍ୟାରିକେଡ ପଛରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିବ । ରାତି ପ୍ରାୟ ସାଢେ ୯ଟାରେ ରୋଡ୍ ଶୋ ବାଣୀବିହାର ଛକରେ ସରିବା ପରେ କାରକେଡ୍ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଦେଇ ସିଧା ରାଜଭବନକୁ ଯିବ । ସେଠାରେ ମୋଦୀ ରାତ୍ରିଯାପନ କରିବେ ।