ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ବଡ ଦାବି କରିଛନ୍ତି ଯେ, ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟର ବଡ ଝଡ ଆସୁଛି । ଆପଣ ଲେଖି କି ନିଅନ୍ତୁ ୟୁପିରେ ବିଜେପିର ସବୁଠୁ ବଡ ପରାଜୟ ହେବାକୁ ଯାଉଛି ।
ଉତ୍ତର ପ୍ରଦେଶର କନ୍ନୌଜରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ୧୦ ବର୍ଷରେ ନରେନ୍ଦ୍ର ମୋଦୀ ଆଦାନୀ ଓ ଅମ୍ବାନୀଙ୍କ ନାଁ ଥରୁଟିଏ ବି ନେଲେ ନାହିଁ । ମାତ୍ର ଯେବେ ଡରିଗଲେ ନିଜ ବନ୍ଧୁଙ୍କ ନାମ ନେଲେ । ମୋଦୀଙ୍କୁ ଇଣ୍ଡିଆ ମେଣ୍ଟ ଘେରିବାର ଭୟ ଘାରିଗଲା । ଆଉ ଏଥର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ରାହୁଲ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ୧୦ରୁ ୧୫ ଦିନରେ ଭିତରେ ଆପଣଙ୍କୁ ବିଜେପିର ଲୋକ ଉସୁକାଇବାକୁ ଚେଷ୍ଟା କରିବେ । କିନ୍ତୁ ଆପଣ ସେମାନଙ୍କ କଥାରେ ପଡିବେ ନାହିଁ। ଆମର ପ୍ରସଙ୍ଗ ଭାରତ ସମ୍ବିଧାନ ବଞ୍ଚାଇବାର ଅଛି । ଏହି ସମ୍ବିଧାନ ଦଳିତ ଓ ପଛୁଆ ବର୍ଗଙ୍କୁ ଅଧିକାର ପ୍ରଦାନ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନସ୍ଥ କରି ସାରିଛନ୍ତି ଯେ, ସମ୍ବିଧାନକୁ ବଦଳାଇ କି ହିଁ ରହିବେ । ମାତ୍ର ଆମେ ଏମିତି ହେବାକୁ ଦେବୁନି । ସମ୍ବିଧାନ ଭୋଟଠୁ ନେଇ ଅନେକ ଅଧିକାର ପ୍ରଦାନ କରିଛି । ଏହା ମହାତ୍ମା ଗାନ୍ଧୀ ଓ ବାବା ସାହେବଙ୍କ ଦ୍ୱାରା ପ୍ରଦତ୍ତ ଦେଶ ବୋଲି ରାହୁଲ କହିଛନ୍ତି ।
ୱାଇନାଡର ସାଂସଦ କହିଛନ୍ତି, ପିଏମ ମୋଦୀ ୨୨ ଜଣଙ୍କ ପାଇଁ କାମ କରନ୍ତି । ଏହି ୨୨ ଲୋକଙ୍କ ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି କେନ୍ଦ୍ର ସରକାର । ଆପଣ ନିଜକୁ ପଚାରନ୍ତୁ ଆପଣଙ୍କ କେତେ ଟଙ୍କା ଋଣ ଛାଡ କରିଛନ୍ତି । ଏ ସରକାର ଦଳିତ, ପଛୁଆ, କୃଷକ ଓ ଶ୍ରମିକଙ୍କ ପାଇଁ ନୁହେଁ, ଏହା କେବଳ କୋଟିପତିଙ୍କ ସରକାର ।