ଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ସପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର କେଜରିୱାଲଙ୍କୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଶୁଣାଣି ସମୟରେ କୋର୍ଟ ସମସ୍ତ ପକ୍ଷଙ୍କ ଯୁକ୍ତ ଶୁଣିବା ପରେ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । ତାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ଦାଖଲ ଯାଚିକା ଉପରେ ଜୁଲାଇ ମାସରେ ଶୁଣାଣି କରିବାକୁ ଦାବି କରିଥିଲେ ।
ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଏହି ଆବେଦନ ଉପରେ ଆଗାମୀ ସପ୍ତାହରେ ଶୁଣାଣି କରିବାକୁ ଚେଷ୍ଟା କରିବୁ । ଇଡି ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଦୀପାଙ୍କର ଦତ୍ତାଙ୍କ ପୀଠକୁ ଅନୁରୋଧ କରିଛନ୍ତି ଯେ, ସମୟ ସରିବା ପୂର୍ବରୁ ଅରବିନ୍ଦ କେଜରିୱାଲଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଉ । ଏହା ଉପରେ କୋର୍ଟ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜୁନ ୨ ସୁଦ୍ଧା କୋର୍ଟରେ ହାଜର ହେବାକୁ ପଡିବ । ତେବେ ଅନ୍ତରୀଣ ଜାମିନ ପ୍ରଦାନ ସମୟରେ କୋର୍ଟ କୌଣସି ସର୍ତ୍ତ ରଖି ନାହାନ୍ତି ।
ଅବକାରୀ ନୀତି ମାମଲାରେ ଗିରଫ ଅରବିନ୍ଦ କେଜରିୱାଲ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟରେ ଅବେଦନ କରିଥିଲେ । ଏହି କେସରେ ଇଡି ମାର୍ଚ୍ଚ ୨୧ ତାରିଖରେ କେଜରିୱାଲଙ୍କୁ ଗିରଫ କରିଥିଲା । କେଜରିୱାଲଙ୍କ ଓକିଲ କହିଛନ୍ତି, ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନ୍ତରୀଣ ଜାମିନ ପ୍ରଦାନ ସହ ନିର୍ବାଚନ ପ୍ରଚାର ଉପରେ କୌଣସି କଟକଣା ଲଗାଇ ନାହାନ୍ତି । ଫଳରେ ଏବେ କେଜରିୱାଲ ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ପାରିବେ ।