ଭୁବନେଶ୍ୱର: ପ୍ରଚାର ମଇଦାନରେ କମ୍ଫୁଛି ଓଡିଶା । କେନ୍ଦ୍ରୀୟ ନେତାଙ୍କ ଆଗମନରେ ନିର୍ବାଚନୀ ତାତିକୁ ଆହୁରି ସରଗରମ । ଗତକାଲି ପରି ଆଜି ମଧ୍ୟ ହୋଇଭୋଲଟେଜ୍ ପ୍ରଚାର । ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ରାତି ୮ଟା ୩୦ରେ ରାମମନ୍ଦିରରୁ ବାଣୀବିହାର ୨.୫ କିମି ପ୍ରଧାନମନ୍ତ୍ରୀ ଭବ୍ୟ ରୋଡ୍ ଶୋ କରିବେ । ଏନେଇ ପ୍ରସ୍ତୁତି ସରି ସାରିଛି । ପୋଲିସ କମିଶନରେଟ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ରୋଡ ଶୋ ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ, ବଲାଙ୍ଗିର ଓ ବରଗଡରେ ସମାବେଶ ରହିଛି ।
ଆଜି ରାତି ୮ଟା ୧୦ ମିନିଟ୍ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମୋଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ବିମାନବନ୍ଦର ଟ୍ରାଫିକ୍ ଛକ ଦେଇ କ୍ୟାପିଟାଲ ହସ୍ପିଟାଲ, ଏଜି ଛକ, ପିଏମ୍ଜି ଛକ, ପୁଣି ଗାନ୍ଧିମାର୍ଗରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ପିଏମ ମୋଦୀ ବିଜେପି ରାଜ୍ୟ ମୁଖ୍ୟ କାର୍ୟ୍ୟାଳୟ ସାମ୍ନାରେ ପହଞ୍ଚିବେ । ପାର୍ଟି କାର୍ୟ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ବନ୍ଧାଯାଇଛି । ପ୍ରତି ମଞ୍ଚରେ ବିଜେପି ପକ୍ଷରୁ ଓଡ଼ିଶାର ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।
ମୋଦୀଙ୍କ ରୋଡ୍ ଶୋ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି । ଆଜି ଅପରାହ୍ଣ ୨ଟାରୁ ରୋଡ୍ ଶୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି । ଅପରାହ୍ନ ୪ଟାରୁ ରୋଡ୍ ଶୋ\’ ଶେଷ ହେବା ଯାଏଁ ଜନପଥର ଅପରପାର୍ଶ୍ବ ଅର୍ଥାତ୍ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍ କରାଯାଇଛି ।
ରୋଡ୍ ଶୋ’ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ଦାୟିତ୍ୱ ନିଆଯାଇଛି । ବ୍ଲୁ ବୁକ୍ ଅନୁସାରେ ଏସ୍ପିଜି ସହ ମିଶି ପୋଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଗୁରୁବାର ଦିନ ସାରା ଜନପଥର ୨ ପାଶ୍ୱର୍ରେ ପଡୁଥିବା ସପିଂ ମଲ୍, ଉଚ୍ଚ ଅଟାଳିକାଗୁଡିକ ଯାଞ୍ଚ କରାଯାଇଛି । ଏସ୍ପିଜି କମାଣ୍ଡୋମାନେ ବାଇନାକୁଲାର ଯୋଗେ ସମ୍ବେଦନଶୀଳ ପଏଣ୍ଟ ଚିହ୍ନଟ କରିଛନ୍ତି ।
ମୋଦିଙ୍କ ରୋଡ୍ ସୋ’ ପାଇଁ ମୋଟ୍ ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ୩ଟି ଆଣ୍ଟି ଟେରର୍ ଗ୍ରୁପ୍ ମଧ୍ୟ ରୋଡ୍ ଶୋ’କୁ ଜଗିବ । ରାତି ପ୍ରାୟ ସାଢେ ୯ଟାରେ ରୋଡ୍ ଶୋ ବାଣୀବିହାର ଛକରେ ସରିବା ପରେ କାରକେଡ୍ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଦେଇ ସିଧା ରାଜଭବନକୁ ଯିବ । ସେଠାରେ ମୋଦୀ ରାତ୍ରିଯାପନ କରିବେ ।
ଏହା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ, ବଲାଙ୍ଗିର ଓ ବରଗଡରେ ସମାବେଶ ରହିଛି । ଏସବୁ ସ୍ଥାନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବା ସହ ଦଳୀୟ ବିଧାୟକ ଓ ସାଂସଦଙ୍କ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଜନତାଙ୍କୁ ଅପିଲ୍ କରିବେ । ଏହା ପରେ ମେ ୧୨ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି । ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ୍ ଥିବାରୁ କନ୍ଧମାଳରେ ମୋଦୀଙ୍କ ପ୍ରଚାର ଏସବୁ ସଂସଦୀୟ କ୍ଷେତ୍ର ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି ।