ଫୁଲବାଣୀ: ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭବ୍ୟ ରୋଡ୍ ଶୋ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୁଲବାଣୀରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ବିଜେଡି ସରକାରକୁ ଶାଣିତ ସ୍ୱରରେ ହମଲା କରିଛନ୍ତି । ରତ୍ନଭଣ୍ଡାର ଚାବିକୁ ନେଇ ସିଧା ସଳଖ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଏହା ସହିତ ବିଜେପି ସରକାରକୁ ଆସିଲେ ଜନତାଙ୍କୁ କଣ କଣ ସୁବିଧା ଦିଆଯିବ ସେ ବିଷୟରେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଗତ ୪୦ ବର୍ଷରୁ ଅଧିକ ହେଲାଣି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲଯାଇନି । ରତ୍ନଭଣ୍ଡାରର ଚାବି ୬ ବର୍ଷ ହେଲା ମିଳୁନି । ଏଭଳି ଅମୂଲ୍ୟ ରତ୍ନଭଣ୍ଡାରର ଚାବି ବି ସମ୍ଭାଳି ପାରୁ ନାହାନ୍ତି । ଚାବି କୁଆଡେ ଗଲା, ଲୋକଙ୍କୁ ଜାଣିବାର ଅଧିକାର ଅଛି । ଚାବି କୁଆଡେ ଗଲା, କାହା ପାଖକୁ ଗଲା କାହା ପାଖରେ ଉତ୍ତର ନାହିଁ । ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ୍ ଚାବି ମିଳିଛି । ଡୁପ୍ଲିକେଟ୍ ଚାବି କାହିଁକି ତିଆରି ହେଲା । ଡୁପ୍ଲିକେଟ୍ ଚାବିରେ କେହି ଖୋଲୁ ନ ଥିଲା ତ, ରତ୍ନଭଣ୍ଡାରରୁ ସୁନା ନେଉ ନ ଥିଲା ତ? ଚାବି ହଜିବାଠୁ ଡୁପ୍ଲିକେଟ୍ ଚାବି ଅଧିକ ଗମ୍ଭୀର ବିଷୟ । ଏହାର ତଦନ୍ତ ପାଇଁ କମିଶନ ବସିଲା । କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି । ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ । ରାଜ୍ୟ ସରକାର କାହା ପାପକୁ ଘୋଡାଇବାକୁ ଚେଷ୍ଟା କରୁଛି । ଜଗନ୍ନାଥ ଅଛନ୍ତି ତ ଆମ ଜୀବନ ଅଛି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ ।
ଏହା ସହିତ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ ଛିଡା କରାଯାଉ । ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଖି ପାରିବେ କି ? ଆମକୁ ୫ବର୍ଷ ସୁଯୋଗ ଦିଅନ୍ତୁ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିଦେବୁ ।