‘ଭ୍ରଷ୍ଟାଚାର ସରକାର ଥିଲେ ଦାଦନ ସମସ୍ୟା ଦୂର ହେବନି, ବିଜେଡିର କାଉଣ୍ଟ ଡାଉନ ଆରମ୍ଭ’


ବଲାଙ୍ଗୀର: ଫୁଲବାଣୀ ସମାବେଶ ପରେ ବଲାଙ୍ଗୀର ସଭାରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେଡି ସରକାର ଥିବା ଯାଏଁ ରାଜ୍ୟରୁ ଦାଦନ ସମସ୍ୟା ଦୂର ହେବନି । ତେଣୁ ଏହି ସରକାରକୁ ବାଜାବଜାଇ ବିଦା କରନ୍ତୁ । ବିଜେଡିର କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ମୋଦୀ କହିଛନ୍ତି ।

ବଲାଙ୍ଗୀର ସଭାରେ ଆସୁ ଆସୁ ପ୍ରଧାନମନ୍ତ୍ରୀ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି । ଓଡିଶାରେ ବିଜେଡି ସରକାରର କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି । ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ନିଶ୍ଚିତ । ୨୫ ବର୍ଷ ସରକାରରେ ରହିବା ପରେ ବି ବିଜେଡି ଗରିବୀ ଦୂର ପାଇଁ କିଛି କରି ପାରିଲା ନାହିଁ । କିନ୍ତୁ ବିଜେପିର କେନ୍ଦ୍ର ସରକାର ଓଡିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ ସିମ୍ବଲ କରାଯାଇଥିଲା । ଆମ ସରକାର ପାଇକ ସଂଗ୍ରାମୀଙ୍କୁ ସ୍ୱୀକୃତି ଦେଇ ଡାକଟିକଟ କରିଛି । ବିଜେପି ଜଣେ ଆଦିବାସୀ ଝିଅକୁ ଦେଶର ରାଷ୍ଟ୍ରପତି କରିଛି । ଓଡିଶା ଝିଅ ଆଜି ଦେଶକୁ ମାର୍ଗଦର୍ଶନ କରାଉଛନ୍ତି ।

ମୋଦୀ କହିଛନ୍ତି ଓଡିଶାର ଲୋକ ବହୁତ ସ୍ୱାଭିମାନୀ, ଅନ୍ୟାୟକୁ କେବେ ସହନ୍ତିନି । ଓଡିଶାର ମହାପୁରୁଷମାନେ ଆଜି ଓଡିଶାର ସ୍ଥିତି ଦେଖି କଣ କହୁଥିବେ। ଓଡିଆ ଅସ୍ମିତା ଆଜି ସଙ୍କଟରେ । ଆମେ କେବେ ଏହାକୁ ବନ୍ଧା ପକାଇବାକୁ ଦେବୁନି । ଓଡିଶାକୁ ଏହି ସଙ୍କଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । ଜୁନ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ମୋର । ଓଡିଶାମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ, ଏହା ମୋଦୀ ଗ୍ୟାରେଣ୍ଟି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଧନୀ ଓଡିଶାର ଗରିବ ଲୋକ ଆଜି ଗରିବୀ ସହ ଯୁଝୁଛନ୍ତି । ପ୍ରାକୃତିକ ସଂପଦରେ ଭରପୂର ଓଡିଶା ପୂରା ବରବାଦ ହୋଇଛି । ଦାଦନ ସମସ୍ୟାରେ ଏବେ ପୂରା ଯୁଝୁଛି ବଲାଙ୍ଗୀର । ଦାଦନ ସମସ୍ୟା ଦୂର ପାଇଁ ବିଜେପିକୁ ଭୋଟ୍ ଦିଅନ୍ତୁ । ଭ୍ରଷ୍ଟାଚାରୀ ବିଜେଡି ସରକାର ଥିବା ଯାଏ ଲୋକଙ୍କୁ ଲାଭ ମିଳିବନି ।

ଏହା ପୂର୍ବରୁ ଫୁଲବାଣୀ ସଭାରେ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ ଛିଡା କରାଯାଉ । ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଖି ପାରିବେ କି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି ।