ପୁଣି ଓଡିଶା ଆସିବେ ମୋଦୀ, ୨୦ରେ କଟକରେ କରିବେ ବିଶାଳ ଜନସଭା


କଟକ: ଗତକାଲି ଓଡିଶାରେ ତିନୋଟି ଜିଲ୍ଲାରେ ମାରାଥନ ପ୍ରଚାର କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୦ରେ ତାରିଖରେ ପୁଣି ଓଡିଶା ଆସୁଛନ୍ତି । ଏହି ଦିନ କଟକ ଐତିହାସିକ ବାଲି ଯାତ୍ରା ପଡିଆରେ ଆୟୋଜିତ ହେବାକୁ ଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ କାର୍ଯ୍ୟକ୍ରମର ପ୍ରାଥମିକ ରୂପ ରେଖ ସ୍ଥିର ହୋଇଛି । ଶନିବାର ଦଳର ରାଜ୍ୟ ନେତୃବୃନ୍ଦଙ୍କ ଏକ ଟିମ୍ ଉପର ଓ ତଳ ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି ।

ଏଥର ନିର୍ବାଚନରେ ବିଜେପି ଫୋକସରେ ଓଡିଶା । ଦଳ କେବଳ ଲୋକସଭା ଜିତିବା ଉପରେ ନୁହେଁ ବିଧାନସଭା ନିର୍ବାଚନ ଜିତି ସରକାର ଗଢିବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ପ୍ରତିଦିନ ମାଳ ମାଳ କେନ୍ଦ୍ରୀୟ ନେତା ଓଡିଶା ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହିତ ନବୀନ ସରକାରଙ୍କୁ ଶାଣିତ ସ୍ୱରରେ ହମଲା କରୁଛନ୍ତି । କଟକରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଅଛି । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସିଟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୨୩ ତାରିଖ ହେଉଛି ପ୍ରଚାରର ଶେଷ ଦିନ ।

ଏହି ପର୍ଯ୍ୟାୟରେ କଟକ ସହିତ ଭୁବନେଶ୍ୱର, ପୁରୀ ଓ କେନ୍ଦୁଝର ଭଳି ହାଇପ୍ରୋଫାଇଲ ଲୋକସଭା ଆସନ ରହିଛି । ତେଣୁ ଏସବୁ ଆସନରେ ପ୍ରଚାର ପାଇଁ ମୋଦୀ ଦୁଇ ଦିନିଆ ଗସ୍ତରେ ଆସିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୯/୨୦ କିମ୍ବା ୨୦/୨୧ରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ମେ ୧୦ ତାରିଖରେ ରାଜଧାନୀରେ ଭବ୍ୟ ରୋଡ ଶୋ କରିବା ପରେ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଫୁଲବାଣୀ, ବଲାଙ୍ଗୀର ଓ ବରଗଡରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଏହି ସମୟରେ ସେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ସିଧା ଶାଣିତ ସ୍ୱରରେ ହମଲା କରିଛନ୍ତି, ଯାହା ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆହୁରି ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି ।