ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ପାରଦ ଖସିବା ସହ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ପଶ୍ଚିମଠୁ ନେଇ ଉପକୂଳ ଯାଏ ଅଧିକାଂଶ ଜିଲ୍ଲାରେ ଗତକାଲି ଝଡତୋଫାନ ହୋଇଛି । ତେବେ ଆସନ୍ତା ୧୫ ତାରିଖ ଯାଏ ଉପକୂଳର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଭାଗ ଅନୁଯାୟୀ, ୧୨ରେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ୧୩ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିନ୍ତୁ ୧୬-୧୭ରୁ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ବଦଳିବା ସହ ପୁଣି ଥରେ ଗ୍ରୀଷ୍ମପ୍ରବାହ ଫେରିପାରେ । କାଳବୈଶାଖୀର ପ୍ରଭାବ କମିବା ସହିତ ତାତି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ସେହିପରି୧୨ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ହୋଇପାରେ । ଏସବୁ ଜିଲ୍ଲାର କିଛି ସ୍ଥାନରେ ଝଡ଼ ବର୍ଷା ହେବା ସହ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ୧୩ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଝଡ଼ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୧୪ ଓ ୧୫ ତାରିଖରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।