ସୋମବାର ପ୍ରଥମ ପର୍ଯ୍ୟାୟ ଭୋଟ୍‌, ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୭ ହଜାର ପୋଲିସ


ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଏ ନେଇ ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ ଲୋକସଭା ସିଟ୍ ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ଆସନରେ ମତଦାନ ହେବ । ଏ ନେଇ ରବିବାର ସୁରକ୍ଷା ବ୍ୟବସ୍ଥାକୁ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ସୁରକ୍ଷା ପାଇଁ ୧୭ ହଜାର ପୋଲିସ ମୁତୟନ ହୋଇଛନ୍ତି ।

ଡିଜିପି କହିଛନ୍ତି, ୯ଟି ଜିଲ୍ଲାରେ ୬୨୮୨ ଲୋକେସନରେ ୭୨୯୮ ପୋଲିଂ ବୁଥ ରହିଛି । ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ ରହିଛି । କାଲିର ମତଦାନ ପାଇଁ ମୋଟ୍ ୧୭ ହଜାର ପୋଲିସ ବଳ ନିୟୋଜିତ ହୋଇଛନ୍ତି। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ ଏସଏପି ଜଗିବେ । ୬ ଶହ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ । ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍ ବୁଲି ରିପୋର୍ଟ ନେବେ । ଏହା ସହିତ ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ୫୧ ଚେକପୋଷ୍ଟ ରହିଛି । ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକପୋଷ୍ଟରେ ସିସିଟିଭି ଲାଗିଛି।

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ୨୧୦ ଫ୍ଲାଇଂ ସ୍କ୍ୱାଡ, ୧୯୫ ସର୍ଭେଲାନ୍ସ ଟିମ୍ ମୁତୟନ ହୋଇଛନ୍ତି । ଭୋଟ୍ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମରେ ଇଭିଏମକୁ ସୁରକ୍ଷିତ ରଖାଯିବ । ଇଭିଏମ ଇନ ସର୍କଲରେ ଅର୍ଦ୍ଧସାମରିକ, ଆଉଟର ସର୍କଲ ଦାୟିତ୍ୱରେ ଏସଏପି । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ ନକ୍ସଲ ପ୍ରଭାବିତ ଜିଲ୍ଲା ଥିବା ଡିଜିପି କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଏହି ୪ଟି ସଂସଦୀୟ କ୍ଷେତ୍ର ଏବଂ ୨୮ ବିଧାନସଭାରେ ଭୋଟ୍ ଗ୍ରହଣ ହେବ । ଗତକାଲି ପ୍ରଚାର ଥମି ସାରିଛି । ଆସନ୍ତାକାଲି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ ।