ସୋମବାର ଭୋଟ୍ ସମୟରେ କେମିତି ରହିବ ପାଗ, ବଡ ଅପଡେଟ୍ ଦେଲା ପାଣିପାଗ ବିଭାଗ


ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଏ ନେଇ ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ ଲୋକସଭା ସିଟ୍ ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ଆସନରେ ମତଦାନ ହେବ । ତେବେ ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଲାଗି ରହିଛି । ତେଣୁ ଭୋଟ୍ ହେଉଥିବା ସ୍ଥାନରେ ସୋମବାର ପାଗ କେମିତି ରହିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସିଛି ଆଶ୍ୱସ୍ତିକର ଖବର ।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆସନ୍ତାକାଲି ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ । କିଛି ସ୍ଥାନରେ ହାଲୁକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ । ଦିନ ସାରା କିମ୍ବା ଲଗାତାର ବର୍ଷା ହେବାର ସମ୍ଭାବନା ନାହିଁ । ଯଦି ହୁଏ ଅଳ୍ପ ସମୟ ପାଇଁ ବର୍ଷା ହୋଇ ଛାଡିଯିବ। ମୋଟାମୋଟି ଭାବେ ଏସବୁ ସ୍ଥାନରେ ଆସନ୍ତାକାଲି ଭୋଟ୍ ସମୟରେ ପାଗ ଅନୁକୂଳ ରହିବ । ଦିନ ସର୍ବାଧିକ ତାପାମତ୍ରା ୩୫ ଡିଗ୍ରୀ ପାଖାପାଖି ରହିପାରେ।

ସୋମବାର ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଏହି ୪ଟି ସଂସଦୀୟ କ୍ଷେତ୍ର ଏବଂ ୨୮ ବିଧାନସଭାରେ ଭୋଟ୍ ଗ୍ରହଣ ହେବ । ଗତକାଲି ପ୍ରଚାର ଥମି ସାରିଛି । ଆସନ୍ତାକାଲି ୩୭ ଜଣ ଲୋକସଭା ପ୍ରାର୍ଥୀ ଓ ୨୪୩ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମ୍‌ରେ ସିଲ୍ ହୋଇଯିବ। ୬୨,୮୭,୨୨୨ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୩୦,୯୭,୫୨୭ ଜଣ ପୁରୁଷ ଓ ୩୧,୮୯,୦୬୦ ଜଣ ମହିଳା ଭୋଟର ଥିବା ବେଳେ ୬୩୫ ଜଣ ତୃତୀୟ ଲିଙ୍ଗ ଅଛନ୍ତି।

୯ଟି ଜିଲ୍ଲାରେ ୬୨୮୨ ଲୋକେସନରେ ୭୨୯୮ ପୋଲିଂ ବୁଥ ରହିଛି । ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ ରହିଛି । କାଲିର ମତଦାନ ପାଇଁ ମୋଟ୍ ୧୭ ହଜାର ପୋଲିସ ବଳ ଏବଂ ପ୍ରାୟ ୫୩ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।