ଭୁବନେଶ୍ୱର: ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ମୁସ୍କିଲ । ଗିରଫ ହେବାର ସମ୍ଭାବନା ମଧ୍ୟ ବଢି ଯାଇଛି । ଅନୁଭବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡଲ୍ଲ୍ୟୁ) ଜାରି କରିଛନ୍ତି କଟକ ଜେଏମଏଫସି(ଏମପି,ଏମଏଲଏ) କୋର୍ଟ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଗିରଫ ପରୱାନା ଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲା ଆଧାରରେ ଅନୁଭବଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଚାର୍ଜଫ୍ରେମ ପାଇଁ ହାଜର ନ ହୋଇ ଅନୁଭବ ବାରମ୍ବାର ସମୟ ମାଗୁଥିଲେ । ଶେଷରେ ଏନବିଡଲ୍ଲ୍ୟୁ ଜାରି କରିଛନ୍ତି କୋର୍ଟ । ଏହା ସହିତ ୨୩ ସୁଦ୍ଧା ୱାରେଣ୍ଟକାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ସୋମବାର ସୂଚନା ଦେଇଛନ୍ତି ସରକାରୀ ଓକିଲ ଆଫ୍ରୋଜ ଅହମ୍ମଦ । ଏହା ପୂର୍ବରୁ ବର୍ଷାଙ୍କ ପକ୍ଷରୁ ଦାୟର ନିର୍ଯାତନା ମାମଲାକୁ ଖାରଜ କରିବାକୁ ଅନୁଭବ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଥିଲେ ସ୍ୱତନ୍ତ୍ର ଜେଏମଏଫସି କୋର୍ଟ । ଏହା ସହିତ ଚାର୍ଜ ଫ୍ରେମ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିିଲେ ।
ସୂଚନା ଅନୁଯାୟୀ, ଆଜି ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହେବାର ଥିଲା । ପୂର୍ବରୁ ଏ ନେଇ ସମୟ ଲୋଡିଥିଲେ ସାଂସଦ । ଆଜି ସମୟ ଲୋଡିଥିଲେ ହେଁ ତାଙ୍କ ଆବେଦନକୁ ଖାରଜ କରି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଏହା ପୂର୍ବରୁ ମେ ୧୦ ତାରିଖରେ ସାଂସଦ ଅନୁଭବ ମହାନ୍ତି କୋର୍ଟରେ ହାଜର ହୋଇ ନ ଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ ସେ ସମୟ ମାଗିଥିଲେ ।
ସୂଚନାଯୋଗ୍ୟ, ଅନୁଭବଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା ରୁଜୁ କରିଥିଲେ । ଏହାକୁ ରଦ୍ଦ କରିବା ପାଇଁ ଅନୁଭବ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ବର୍ଷାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଅଭିନେତାଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ଯୁକ୍ତି ବାଢିଥିଲେ । ବର୍ଷା ଓକିଲ କହିଥିଲେ, ନିର୍ୟ୍ୟାତନା ମାମଲାରେ ଅନୁଭବଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ।